କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା କଦଳୀମୁଣ୍ଡାର ସୁଶାନ୍ତ କୁମ୍ଭାର । ୧୨ ବର୍ଷ ବୟସରେ ମା’ ସହ ଆନ୍ଧ୍ର ଯାଇଥିଲେ ଦାଦନ ଖଟି । ଇଟାଭାଟିରେ କାମ ନ କରି ଖେଳୁଥିବାରୁ ତାଙ୍କୁ ହାତ ହରାଇବାକୁ ପଡ଼ିଛି । ୨୦୧୫ ମସିହାର ଏ ଦାଦନ ନିର୍ୟାତନା ସାରା ରାଜ୍ୟରେ ଚହଳ ପକାଇଥିଲା । ଏବେ ସୁଶାନ୍ତ ବାହା ହୋଇ ତାଙ୍କର ୮ମାସର ଶିଶୁଟିଏ । ସେ ନିର୍ଯାତନାକୁ ଭୁଲି ପାରୁନାହାନ୍ତି ସତ କିନ୍ତୁ ପରିବାର ଚଳାଇବା ଲାଗି ଭାଇ ସହ ଭଞ୍ଜନଗର ଯାଇଛନ୍ତି ଇଟାଭାଟିରେ ମୂଲ ଲାଗିବାକୁ । ଏ ଝାଟିମାଟି ଘେରା ଭଙ୍ଗା ଆଜବେଷ୍ଟସ୍ ଘର ହିଁ ବୟାନ କରୁଛି ଦାଦନର ଦୁଃଖ କେତେ?
୨୦୨୩-୨୪ରେ ରାଜ୍ୟ ଓ ଦେଶ ବାହାରେ କାମ କରିବାକୁ ଯାଇ ୨୦୭ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ସେମାନଙ୍କୁ ଫେରାଇ ଆଣିବାକୁ ସରକାର ଖର୍ଚ୍ଚ କରିଛନ୍ତି ୩୦ ଲକ୍ଷ ୨୯ ହଜାର ୮୫୪ ଟଙ୍କା । ସର୍ବାଧିକ ବ୍ରହ୍ମପୁରର ୨୭ଜଣ, ବଲାଙ୍ଗୀରର ୨୩, ଛତ୍ରପୁରର ୨୨, କଳାହାଣ୍ଡି ଓ କନ୍ଧମାଳର ୧୬ ଲେଖାଏଁ ସହ ମୟୂରଭଞ୍ଜ, ନବରଙ୍ଗପୁର ଓ ରାୟଗଡ଼ାରେ ୧୩ ଜଣ ଲେଖାଏଁ ଦାଦନ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବିଧାନସଭାରେ ତଥ୍ୟ ରଖିଥିଲେ ଶ୍ରମମନ୍ତ୍ରୀ । ସେପଟେ ମାତ୍ର ୭୦ ହଜାର ପଞ୍ଜିକୃତ ହେଉଥିଲା ବେଳେ ୧୦ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଥିବା କରୋନା ଧରାଇଥିଲା । ତେଣୁ ରାଜ୍ୟରେ କାମ ନାହିଁ ନଚେତ୍ ଯଥେଷ୍ଟ କାମ ନାହିଁ ଏବଂ ଏହାର ସମାଧାନ କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଯେଉଁମାନେ ଦାଦନ ପଠାଉଥିଲେ ସେମାନଙ୍କୁ ନିଲମ୍ବନ କରାଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ତେଣେ ୪ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରି ୩୭୦ କୋଟି ଟଙ୍କାର ସହାୟତା ରାଶି ଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ୍ ପହିଲାରୁ ଶ୍ରମିକଙ୍କ ଲାଗି ୧୦ଟଙ୍କା ମଜୁରି ବି ବଢ଼ିଛି । ତଥାପି ଦାଦନ ଅପବାଦରୁ କେବେ ମୁକୁଳିବ ଓଡ଼ିଶା, ତାହା ଆଜି ବି କହିବା ମୁସ୍କିଲ୍ ।