କନକ ବ୍ୟୁରୋ :  ଦାଦନ କବଳରେ କଳାହାଣ୍ଡି । ପୁଣି ଜଣେ ଦାଦନ ଶ୍ରମିକ ଶବ ହୋଇ ଘରକୁ ଫେରିଛି । ଏ ଗୋଟିଏ ନୁହେଁ, ପ୍ରତିଦିନ ଦାଦନ ଶ୍ରମିକ ନିର୍ଯାତନା ଓ ମୃତ୍ୟୁର ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି । ହେଲେ ଏତେ ସବୁ ପରେ ବି ଚେତୁନି ପ୍ରଶାସନ । ଏବେ ବି ଗରିବ ଶ୍ରମିକ ନିଜ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଖଟିବାକୁ ଯାଉଛି । ଆଉ ଚୁପ୍‌ ବସିଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ । 

Advertisment

ପୁଅ ମୋର ରୋଜଗାର ପାଇଁ ଯାଇଛି । ଆଉ ଅଭାବ ରହିବନି । ଦାନା ଗଣ୍ଡାଏ ପାଇଁ ସଂଘର୍ଷ କରିବାକୁ ପଡ଼ିବନି । ମୋ କାନ୍ଧରୁ ପରିବାର ପ୍ରତିପୋଷଣ ବୋଝ ହାଲୁକା ହୋଇଯିବ। ଏମିତି କେତେ କ’ଣ ସ୍ବପ୍ନ ଦେଖିଥିଲେ ଜଣେ ବାପା , ହେଲେ ସବୁ ସ୍ବପ୍ନ ଅଧୁରା । ଦାଦନ ଖଟି ଯାଇଥିବା ପୁଅ ଘରକୁ ଫେରିଛି । ହେଲେ ତା’ଆସିବା ଖବର ଶୁଣି ଗାଁ ନିରବି ଯାଇଛି । ଅସମ୍ଭବ ନିରବତା ଭିତରେ ଶୁଭୁଛି ଜଣେ ଅସହାୟ ମା’ର କାନ୍ଦଣା । କାରଣ ତା’ ରୋଜଗାରିଆ ପୁଅ ଫେରିଛି, ହେଲେ ତା’ ପିଣ୍ଡରେ ପ୍ରାଣ ନାହିଁ । ନିସ୍ତେଜ ଶରୀରଟା ପରିବାର ପାଖକୁ ଆସିଛି ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଗୁକୁଡ଼ା ଗାଁର ଭୁବନେଶ୍ବର ବେଶ୍ରାଙ୍କ ପୁଅ ରାଜ କିଶୋର । ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ବିଦ୍ୟୁତ୍‌ ଆଘାତରେ ତାଙ୍କ ପ୍ରାଣ ଚାଲିଯାଇଛି । ଗୋଟିଏ କିଶୋର ନୁହେଁ, କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରୁ ଶହଶହ ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ଆଉ ଅନେକ ସମୟରେ ଶବ ହୋଇ ଫେରୁଛନ୍ତି । 

ଖାଲି କଳାହାଣ୍ଡି ନୁହେଁ, ରାଜ୍ୟରେ ଶହଶହ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କେବେ ଦାଦନ ରାକ୍ଷସ କବଳରୁ ମୁକ୍ତ ହେବ ଓଡ଼ିଶା ? ତା’ଠୁ ବି ବଡ଼ ପ୍ରଶ୍ନ ହେଉଛି କାହିଁକି ଯୁବକଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ? ନିଯୁକ୍ତିର ଅଭାବ ନା ଅନ୍ୟ କିଛି କାରଣ ? ଆଉ କେତେ ଶ୍ରମିକଙ୍କ ମୃତ୍ୟୁ ହେଲେ ଚେତିବେ ସରକାର? ଏସବୁର ଉତ୍ତର ଖୋଜିବା ଏବେ ଜରୁରୀ ।