କନକ ବ୍ୟୁରୋ:  ଏମସିଏଲର ଦାଦାଗିରି ନା ରାଜ୍ୟ ସରକାରଙ୍କ ଅପରାଗତା। ମାସେ କି ବର୍ଷେ ନୁହେଁ ଦୀର୍ଘ ୨୭ ବର୍ଷ ହେଲାଣି ଜୋରଜବରଦସ୍ତ ଲୋକଙ୍କ ରାସ୍ତାରେ କୋଇଲା ପରିବହନ କରୁଛି ଏମସିଏଲ। ଗାଁ ରାସ୍ତାରେ  ପ୍ରତିଦିନ ୬ ହଜାରରୁ ଅଧିକ ବଡ଼ବଡ଼ ଗାଡ଼ି ଚଳାଚଳ ଯୋଗୁଁ ଧୂଳିଧୁଆଁରେ ନୟାନ୍ତ ହେଲେଣି ଲୋକ।

Advertisment

ସୁନ୍ଦରଗଡ ବାଙ୍କିବାହାଲଠୁ ସୁନ୍ଦରଗଡ଼ ସହର ୪୧ କିଲୋମିଟର ଗାଁ ଏବଂ ସହର ରାସ୍ତା ଦେଇ ବାହାର ଜିଲ୍ଲା ଓ ରାଜ୍ୟଙ୍କୁ କୋଇଲା ପରିବହନ କରୁଛି ଏମସିଏଲ। ଏଭଳି ସ୍ଥିତିରେ ଗାଁ ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି। ଗାଡ଼ି ନେଇ ଗଲେ ଜୀବନ ଧରି ଫେରିବେ ନା ନାହିଁ ତାକୁ ନେଇ ଆଶଙ୍କାରେ ରହୁଛନ୍ତି। ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି।

ଲୋକଙ୍କ ରାସ୍ତା ନୁହଁ ବରଂ ସ୍ୱତନ୍ତ୍ର କୋଲ କରିଡରରେ କୋଇଲା ପରିବହନ ହେବ । ଏଥିପାଇଁ ୨୦୨୦ ନଭେମ୍ୱର ମାସରେ ୧କୋଟି ୮୪ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲା ଏମସିଏଲ୍‌। ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା କାମ ସାରିବାକୁ କୁହାଯାଇଥିଲା। ବାଙ୍କିବାହାଲରୁ ଭେଡ଼ାବାହଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର କୋଲ କରିଡର ହେବ। ୧୧ଟି ଛୋଟବଡ଼ ପୋଲ ସହ ୩୧ କିଲୋମିଟର ରାସ୍ତା ହେବ। ବର୍ଷେ ୯ ମାସ ତଳୁ ଧାର୍ଯ୍ୟ ସମୟ ସରିଲାଣି, ଅଧ ପନ୍ତରିଆ ହୋଇ ପଡ଼ିରହିଛି କୋଲ କରିଡର ପ୍ରକଳ୍ପ।

ଗୋଟିଏ ପଟେ ଏମ୍‌ସିଏଲ୍‌ କହୁଛି ରାସ୍ତା ନିର୍ମାଣ ପାଇଁ ସବୁ ଟଙ୍କା ଦେଇ ଦେଇଛି। ଅନ୍ୟପଟେ ଠିକା ସଂସ୍ଥା କହୁଛି ଯେତିକି ଟଙ୍କା ମିଳିଥିଲା, ସେତିକିର କାମ ସାରିଛନ୍ତି। ଆଉ ଟଙ୍କା ଏବଂ କାର୍ଯ୍ୟାଦେଶ ମିଳିଲେ ୮ରୁ ୧୦ ମାସ ମଧ୍ୟରେ ପ୍ରକଳ୍ପ କାମ ସଂପୂର୍ଣ୍ଣ କରାଯିବ । ସେପଟେ ସୁନ୍ଦରଗଡ ଜିଲ୍ଲପାଳ କହିଛନ୍ତି ୨୦୨୫ ଜାନୁୟାରୀ ୧୫ ମଧ୍ୟରେ ସ୍ୱତନ୍ତ୍ର କୋଲ କରିଡରରେ କୋଇଲା ପରିବହନ ଆରମ୍ଭ ହେବ।