କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ଡିବ୍ରଦର୍ସ ଗ୍ୟାଙ୍ଗ ସକ୍ରିୟ । ବିଭିନ୍ନ ହତ୍ୟା ମାମଲାରେ ଖଲାସ ହୋଇଥିବା ଗ୍ୟାଙ୍ଗର  ସହଯୋଗୀ କଲେଣି ମେଳି । ବାଲି ଘାଟ କଣ୍ଟ୍ରାକ୍ଟରକୁ ଦେଲେଣି ଧମକ । କମିସନରେଟ୍‌ ପୁଲିସର ବଢ଼ାଇଲେଣି ମୁଣ୍ଡବିନ୍ଧା । ସେପଟେ ନୂଆ ଡିସିପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ଯେ କେମିତି ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

Advertisment

ପୂଜା ପୂର୍ବରୁ ଏକାଠି ହୋଇଛନ୍ତି ଗ୍ୟାଙ୍ଗ୍‌ଷ୍ଟର ଧଳସାମନ୍ତଙ୍କ ସହଯୋଗୀ । ଦୀପୁ-ଓମ୍ ହତ୍ୟା ମାମଲାରେ ଧଳସାମନ୍ତ ଭାଇଙ୍କ ସମେତ ୬ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା ପରେ ସହଯୋଗୀଙ୍କ ଭିତରେ ଏକପ୍ରକାର ନୂଆ ଉତ୍ସାହ ସୃଷ୍ଟି ହୋଇଛି । ୨୦୧୬  ଜାନୁଆରୀ ୨୮ରେ କଟକ କମିଶନରେଟ ପୋଲିସ ସୁଶାନ୍ତ ଓ ସୁଶିଲକୁ ଗିରଫ କରିବା ପରେ କଟକରେ ସଙ୍ଗଠିତ ଅପରାଧ ଏକ ପ୍ରକାର ବନ୍ଦ ଥିଲା । ହେଲେ ଏବେ ପୁଣି ମେଳି ବାନ୍ଧିଛନ୍ତି ଡି-ବ୍ରଦର୍ସଙ୍କ ସହଯୋଗୀ । ବିଡ଼ାନାସୀ ଭୁଆଶୁଣି ପଠାରେ ଅଦିନିଆ ଭୋଜିଭାତ ବାହାନାରେ ଏକାଠି ହୋଇଥିଲେ । ଯାହା କଟକ କମିସନରେଟ୍ ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିବାକୁ ଯାଉଛି ।

ପାର୍ବଣକୁ ଆଖିରେ ରଖି  ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଡିଜିପିଙ୍କ ନେତୃତ୍ୱରେ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୋର୍ ଜବରଦସ୍ତି ଦାଦାବାଟି, ଆପରାଧିକ କାର୍ଯ୍ୟ କଳାପ , ଦୁର୍ଦ୍ଦାନ୍ତ ଓ  ପେସାଦାର ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମାନଙ୍କ ଗତିବିଧି ଏବଂ ଗୁଇନ୍ଦା ସୂଚନା ଯେପରି ଆଗୁଆ ମିଳିବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥର ପ୍ରଥମ ଥର ଦଶହରା ପରିଚାଳନା ଦାୟିତ୍ଵ ତୁଲାଇବେ ନୂଆ ଡିସିପି । ଯାହା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ପାର୍ବଣ ପୂର୍ବରୁ ଡି ବ୍ରଦର୍ସ ଗ୍ୟାଙ୍ଗ ସହଯୋଗୀଙ୍କ ମେଳି ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କଲାଣି । କାରଣ ଅତୀତରେ ଏହି ସମୟରେ ଅପରାଧିକ କାର୍ଯ୍ୟକଳାପ ନେଇ ନଜିର ରହିଛି । ଏବେ ଦେଖିବାର କଥା ପୁଲିସ ଏମାନଙ୍କ ମୁକାବିଲା ପାଇଁ କଣ ରଣନୀତି ପ୍ରସ୍ତୁତ କରୁଛି ।