କନକ ବ୍ୟୁରୋ: ୟୁକ୍ରେନ ଆକ୍ରମଣର ପ୍ରତିଶୋଧ ନେଲା ଋଷ୍‌ ।  ୪୦୭ ଡ୍ରୋନ ଏବଂ ୪୬ ମିସାଇଲ୍‌ ମାଡରେ  ଥରହର ହେଲା ୟୁକ୍ରେନ । ରାତି ସାରା ଡ୍ରୋନ ଆଉ ମିସାଇଲ ମାଡ କରିଛି ଋଷ୍‌ । ଏହି ଆକ୍ରମଣରେ ୟୁକ୍ରେନର ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଗୁରୁତର ହୋଇଥିବା ଜଣାପଡିଛି । ଅନେକ ସରକାରୀ ପ୍ରତିଷ୍ଠାନ ଓ ଆବାସିକ କୋଠା ମାଟିରେ ମିଶିଯାଇଛି । ୟୁକ୍ରେନ ବାୟୁସେନା ଏନେଇ ଏକ ବିବୃତି ଜାରି କରି କହିଛି ଯେ ମଧ୍ୟରାତ୍ରି ପରେ ରୁଷ୍‌ ପ୍ରାୟ ୫ ଘଣ୍ଟା‌ ଧରି ସ୍ଥଳଭାଗ, ଆକାଶ ଓ ସମୁଦ୍ରରୁ ୟୁକ୍ରେନର ସହରକୁ ଟାର୍ଗେଟ୍‌ କରି ୪୦୦ଟି ଡ୍ରୋନ୍‌  ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲେ । ଏଥିରେ ୪୦ଟି କ୍ରୁଜ୍‌ ମିସାଇଲ୍‌ ଏବଂ ୬ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି ।
 

Advertisment

ଋଷ ପଟରୁ ହୋଇଥିବା ଆକ୍ରମଣ ଏତେ ଭୟଙ୍କର ଥିଲା ତାକୁ ପ୍ରତିରୋଧ କରିବାରେ ବିଫଳ ହୋଇଥିଲେ ୟୁକ୍ରେନ ସେନା । ତେବେ କିଛି ଦିନ ପୂର୍ବରୁ ଋଷ୍‌ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ୍‌ । ଅପରେସନ୍‌ ସ୍ପାଇଡରୱେବ ମାଧ୍ୟମରେ ଋଷ ଉପରେ  ଘନ ଘନ  ଆକ୍ରମଣ ପକରିଥିଲା ୟୁକ୍ରେନ । ରୁଷ୍‌ର ଆଭ୍ୟନ୍ତରୀଣ ଅଂଚଳରେ ୟୁକ୍ରେନ ଶତାଧିକ ଡ୍ରୋନ୍‌  ଦ୍ବାରା ଆକ୍ରମଣ କରି ୪୧ଟି ଯୁଦ୍ଧ ବିମାନ ଧ୍ବସ୍ତ କରିଥିଲା । ଅପରେସନ୍‌ ସ୍ପାଇଡରୱେବ୍‌ ଅଧୀନରେ ହୋଇଥିବା ଏହି ଆକ୍ରମଣ ଋଷ୍‌ ବାୟୁସେନାକୁ ଭୀଷଣ କ୍ଷତି ପହଞ୍ଚାଇଥିଲା ।  ଏହାର ପ୍ରତିଶୋଧ ନେବା ପାଇଁ ଋଷ୍‌ ଏବେ ୟୁକ୍ରେନ ଉପରେ  ଆକ୍ରମଣକୁ ତୀବ୍ର କରିଛି ।

ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏହି ଘଟଣାରେ ବୈଶ୍ବିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।  ୟୁକ୍ରେନ ବିଦେଶ ମନ୍ତ୍ରୀ ଆଣ୍ଡ୍ରି ସିବିଗା ଏକ ବିବୃତି ଜାରି କରି କହିଛନ୍ତି, ଋଷ୍‌ ସାଧାରଣ ଜନବସତି ଅଞ୍ଚଳ ଉପରେ ଯେଭଳି ସାରା ରାତି ଆକ୍ରମଣ କରିଛି ତାହା ଦର୍ଶାଉଛି ଯେ ଋଷ୍‌ ଉପରେ ଯଥାସମ୍ଭବ ଅନ୍ତର୍ଜାତୀୟ ଚାପ ବଢ଼ିବା ଉଚିତ ।  ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ବହୁ ସଂଖ୍ୟାରେ ଲୋକେ ଆହତ ହୋଇଥିବା କିବ୍‌ ମେୟର କହିଛନ୍ତି। 
ଋଷ୍‌ ଆକ୍ରମରେ ଚିନ୍ତାରେ ଜେଲେନ୍‌ସ୍କି 

ସୋସିଆଲ ମିଡିଆ ପୋଷ୍ଟରେ ଜେଲେନ୍‌ସ୍କି କହିଛନ୍ତି,  ଯଦି କେହି ଚାପ  ପ୍ରୟୋଗ ନ କରନ୍ତି  ଏହି ଯୁଦ୍ଧ ବନ୍ଦ  ପାଇଁ  ତେବେ  ନିରୀହ ଲୋକଙ୍କ ଜୀବନ ଏମିତି ଯାଉଥିବ । ଆମକୁ ଏବେ ଶେଷ ନିଷ୍ପତ୍ତି ନେବାକୁ ପଡିବ ।  ଆମେ ବିଶ୍ୱ ସହିତ ମିଶି ୟୁକ୍ରେନକୁ ରକ୍ଷା କରିବା ପାଇଁ ବହୁତ କିଛି କରିଛୁ । କିନ୍ତୁ ବର୍ତ୍ତମାନ ଆମେରିକା, ୟୁରୋପ ଏବଂ ବିଶ୍ୱର ପ୍ରତ୍ୟେକ ଦେଶ ପାଇଁ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଋଷ ଉପରେ ଚାପ ପକାଇବା ପାଇଁ ଉପଯୁକ୍ତ ସମୟ ବୋଲି ଜେଲେନ୍‌ସ୍କି କହିଛନ୍ତି ।