କନକ ବ୍ୟୁରୋ: ଆମେ ସମସ୍ତେ ଘରେ ଏଲପିଜି ସିଲିଣ୍ଡର ବ୍ୟବହାର କରୁ, କିନ୍ତୁ ଅନେକ ସମୟରେ ଡେଲିଭରି ଚାର୍ଜକୁ ନେଇ ଦ୍ୱନ୍ଦ୍ୱ ଦେଖାଦିଏ । ଡେଲିଭରି ବୟକୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ କି ନାହିଁ ?  ଏହା ଏକ ସାଧାରଣ ପ୍ରଶ୍ନ । ଚାଲନ୍ତୁ ଜାଣିବା ଏହାର ନିୟମ କ'ଣ ଏବଂ ଏହି କାମ କରୁଥିବା ବ୍ୟକ୍ତିଙ୍କ ରୋଜଗାର କେତେ ।

Advertisment

ସାଧାରଣତଃ, ଆପଣ ସିଲିଣ୍ଡର ପାଇଁ ଯେଉଁ ମୂଲ୍ୟ ଦିଅନ୍ତି, ସେଥିରେ ଡେଲିଭରି ଚାର୍ଜ ଅନ୍ତର୍ଭୁକ୍ତ ଥାଏ । ତୈଳ କମ୍ପାନୀଗୁଡିକର ନିୟମ ଅନୁଯାୟୀ, ଗ୍ୟାସ ଏଜେନ୍ସିରୁ ଏକ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଘରକୁ ସିଲିଣ୍ଡର ପହଞ୍ଚାଇବା ପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

କୌଣସି ଅତିରିକ୍ତ ଶୁଳ୍କ ନାହିଁ: ଆପଣଙ୍କୁ କେବଳ ବିଲ୍ ବା କ୍ୟାସ୍ ମେମୋରେ ଉଲ୍ଲେଖ ଥିବା ରାଶି ଦେବାର ଅଛି । ଏହା ବ୍ୟତୀତ ଡେଲିଭରି ବୟକୁ ଅଲଗା ଭାବେ କୌଣସି ଟଙ୍କା ଦେବା ବାଧ୍ୟତାମୂଳକ ନୁହେଁ । 

ଦୂରତା ଭିତ୍ତିକ ନିୟମ: କେତେକ ସ୍ଥାନରେ, ଏଜେନ୍ସିଠାରୁ ୫ କିଲୋମିଟର ଦୂରତା ମଧ୍ୟରେ ଡେଲିଭରି ପାଇଁ କୌଣସି ଚାର୍ଜ ଲାଗୁ ହୁଏ ନାହିଁ ।  ଯଦି ଦୂରତା ଏହାଠାରୁ ଅଧିକ ହୁଏ, ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ଏକ ସ୍ଲାବ୍ ଆଧାରରେ ସାମାନ୍ୟ ପରିବହନ ଶୁଳ୍କ ଲାଗୁ ହୋଇପାରେ, ଯାହା ବିଲରେ ସାମିଲ କରାଯିବା କଥା । 

ଅଭିଯୋଗ କରିପାରିବେ: ଯଦି କୌଣସି ଡେଲିଭରି ବ୍ୟକ୍ତି ଆପଣଙ୍କଠାରୁ ଅଧିକ ଟଙ୍କା ଦାବି କରନ୍ତି, ତେବେ ଆପଣ ସମ୍ପୃକ୍ତ ଗ୍ୟାସ୍ ଏଜେନ୍ସି କିମ୍ବା ତୈଳ କମ୍ପାନୀର ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିପାରିବେ । ପ୍ରିଫର୍ଡ ଟାଇମ୍ ଡେଲିଭରି: ଯଦି ଆପଣ ନିଜ ସୁବିଧା ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟ ବା ଛୁଟିଦିନରେ ସିଲିଣ୍ଡର ଡେଲିଭରି ଚାହାଁନ୍ତି, ତେବେ କିଛି କମ୍ପାନୀ ଏଥିପାଇଁ ୨୫ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ନେଇଥାନ୍ତି । ଏହା ଏକ ସ୍ୱତନ୍ତ୍ର ସେବା ଏବଂ ସାଧାରଣ ଡେଲିଭରି ପାଇଁ ପ୍ରଯୁଜ୍ୟ ନୁହେଁ । 

ଡେଲିଭରି ବୟଙ୍କ ଦୈନିକ ଆୟ
ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତିଙ୍କ ଆୟ ମୁଖ୍ୟତଃ ଗ୍ୟାସ୍ ଏଜେନ୍ସିର ମାଲିକଙ୍କ ଉପରେ ନିର୍ଭର କରେ । ସେମାନଙ୍କୁ ସିଧାସଳଖ ତୈଳ କମ୍ପାନୀ ଦରମା ଦିଏ ନାହିଁ ।  ସରକାର ପ୍ରତି ସିଲିଣ୍ଡର ପିଛା ଡିଷ୍ଟ୍ରିବ୍ୟୁଟରଙ୍କୁ ଏକ ନିର୍ଦ୍ଦିଷ୍ଟ କମିଶନ ଦିଅନ୍ତି । ଉଦାହରଣ ସ୍ୱରୂପ, ୨୦୨୩ର ଏକ ରିପୋର୍ଟ ଅନୁଯାୟୀ, ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଡିଷ୍ଟ୍ରିବ୍ୟୁଟରଙ୍କ କମିଶନ ପ୍ରାୟ ୭୩.୦୮ ଟଙ୍କା ଥିଲା, ଯେଉଁଥିରେ ୩୩.୪୩ ଟଙ୍କା ଡେଲିଭରି ଚାର୍ଜ ଭାବେ ଅନ୍ତର୍ଭୁକ୍ତ ଥିଲା ।  ତେବେ ଏହି ସମ୍ପୂର୍ଣ୍ଣ ରାଶି ଡେଲିଭରି ବୟଙ୍କୁ ମିଳେ ନାହିଁ । ଡିଷ୍ଟ୍ରିବ୍ୟୁଟରମାନେ ଡେଲିଭରି କରୁଥିବା କର୍ମଚାରୀଙ୍କୁ ମାସିକ ଦରମା କିମ୍ବା ପ୍ରତି ସିଲିଣ୍ଡର ପିଛା କମିଶନ ଆଧାରରେ ପାରିଶ୍ରମିକ ଦିଅନ୍ତି । ଏହା ସହର ଏବଂ ଏଜେନ୍ସି ଅନୁଯାୟୀ ଭିନ୍ନ ହୋଇଥାଏ । କିଛି ରିପୋର୍ଟ ଅନୁଯାୟୀ, ଡେଲିଭରି ବୟମାନଙ୍କୁ ପ୍ରତି ସିଲିଣ୍ଡର ପିଛା ୧୦ରୁ ୨୦ ଟଙ୍କା ମଧ୍ୟରେ ମିଳିଥାଏ । ଯଦି ଜଣେ ଡେଲିଭରି ବୟ ଦିନକୁ ୩୦ରୁ ୪୦ଟି ସିଲିଣ୍ଡର ଡେଲିଭରି କରନ୍ତି, ତେବେ ତାଙ୍କର ଦୈନିକ ରୋଜଗାର ୩୦୦ରୁ ୮୦୦ ଟଙ୍କା ମଧ୍ୟରେ ହୋଇପାରେ । ଏହା ସେମାନଙ୍କ କାମ, ସହର ଏବଂ ସେମାନଙ୍କୁ ମିଳୁଥିବା କମିଶନ ଉପରେ ନିର୍ଭର କରେ ।

ଟିପ୍ସ: ଅନେକ ଲୋକ ସ୍ୱେଚ୍ଛାକୃତ ଭାବେ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଟିପ୍ ଦେଇଥାନ୍ତି, ଯାହା ଡେଲିଭରି ବୟଙ୍କ ରୋଜଗାରର ଏକ ଅଂଶ ହୋଇଯାଏ । କିନ୍ତୁ ଏହା ଦେବା ବାଧ୍ୟତାମୂଳକ ନୁହେଁ । ସିଲିଣ୍ଡର ଡେଲିଭରି କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ । ଯଦିଓ ନିୟମ ଅନୁଯାୟୀ ଅତିରିକ୍ତ ଟଙ୍କା ଦେବା ଜରୁରୀ ନୁହେଁ, ତଥାପି ଅନେକ ଗ୍ରାହକ ସେମାନଙ୍କ କଠିନ ପରିଶ୍ରମ ପାଇଁ ସ୍ୱଇଚ୍ଛାରେ କିଛି ଟଙ୍କା ଦେଇଥାନ୍ତି ।