କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଆଜି ମଧ୍ୟାହ୍ନରେ ପୁରୀ ଉକପୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏବେ ଗଭୀର ଅବପାତ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ହେବ ୭ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ ।
ପୁରୀଠାରୁ ୧୧୦, ଗୋପାଳପୁରଠାରୁ ୧୫୦ ଓ ପାରାଦୀପଠାରୁ ୧୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ଦିନ ସାରା ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ତିନି ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ବଲାଙ୍ଗୀର ଓ ଗଜପତି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାସହ ଖୋର୍ଦ୍ଧା, ପୁରୀ ସମେତ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆଜି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋପାଳପୁର ଏବଂ ପୁରୀକୁ ୩ ନମ୍ବର, ଧାମରା ଓ ପାରାଦୀପକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।
ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳି ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି । ଏନେଇ ସ୍ଥାନୀୟ ପ୍ରଶାସନ ସ୍ଥିତି ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।