କନକ ବ୍ୟୁରୋ: ବାତ୍ୟା ‘ଶକ୍ତି’ ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ସୂଚନା ମୁତାବକ, ଆରବ ସାଗରରେ ମୌସୁମୀ ପରବର୍ତ୍ତୀ ପ୍ରଥମ ବାତ୍ୟା ‘ଶକ୍ତି’ କ୍ରମଶଃ ଦୁର୍ବଳ ହୋଇ ଭାରତର ପଶ୍ଚିମ ଉପକୂଳରୁ ଦୂରେଇ ଯାଉଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଏହି ବାତ୍ୟା ବର୍ତ୍ତମାନ ଓମାନର ରାସ୍ ଅଲ୍ ହାଦଦଠାରୁ ୨୨୦ କିମି ଦକ୍ଷିଣ-ପୂର୍ବ ଓ ମାସିରା ଦ୍ବୀପଠାରୁ ୨୫୦ କିମି ପୂର୍ବରେ ରହିଛି । ଝଡ଼ର କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମିରୁ ହ୍ରାସ ପାଇ ୭୦ କିମିକୁ ଖସିଆସିଛି । ଆଇଏମ୍‌ଡି ଆକଳନ କରିଛି ଯେ ଅକ୍ଟୋବର ୭ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇଯାଇଥିବ ।

Advertisment

ବାତ୍ୟା ‘ଶକ୍ତି’ ଅକ୍ଟୋବର ୩ରେ ଦାନା ବାନ୍ଧିବା ପରେ ମହାରାଷ୍ଟ୍ର, ଗୁଜରାଟ ଉପକୂଳ ପାଇଁ ବିପଦ ସଙ୍କେତ ଜାରି ହୋଇଥିଲା । କିନ୍ତୁ ଏହା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ଆରବ ସାଗରରେ ଭାରତୀୟ ଉପକୂଳରୁ ଅପସରି ଯାଉଛି । ଆଜି ସକାଳୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଗତି ଏବେ ପୂର୍ବ ଦିଗରେ ଗତି କରୁଛି ବାତ୍ୟା ଶକ୍ତି । ଏହା ମହାରାଷ୍ଟ୍ର ଓ ଗୁଜରାଟରେ ବଡ଼ ପ୍ରଭାବ ପକାଇବା ସମ୍ଭାବନାକୁ ହ୍ରାସ କରିଛି । ମହାରାଷ୍ଟ୍ରରେ ବାତ୍ୟାର ପ୍ରଭାବ ଖୁବ୍ କମ୍ ରହିଛି । ମୁମ୍ବାଇର ମହିମ୍ ପଶ୍ଚିମ ଅଞ୍ଚଳ ଭଳି କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ରାୟଗଡ଼, ରତ୍ନଗିରି ଓ ପାଲଘର ଜିଲ୍ଲାରେ ମେଘୁଆ ପାଗ ଦେଖାଦେଇଛି । କେତେକ ଅଞ୍ଚଳରେ ପବନର ବେଗ ବଢ଼ିଥିଲେ ମଧ୍ୟ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ। ମୁମ୍ବାଇ, ଥାନେ ଓ ପାଲଘରରେ ଲୋକଙ୍କ ସ୍ଥାନାନ୍ତର ଯୋଜନାକୁ ଏବେ ସ୍ଥଗିତ ରଖାଯାଇଛି । ଗୁଜରାଟରେ ବାତ୍ୟାର ପ୍ରଭାବ ଅତି ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଓ କାଁଭାଁ ବର୍ଷା ହୋଇଛି ।

ରାଜ୍ୟ ସରକାର ଓ ପାଣିପାଗ ବିଭାଗ ସତର୍କ ରହିଥିଲେ ମଧ୍ୟ ଝଡ଼ର ପଥ ପରିବର୍ତ୍ତନ ହେତୁ ବିପଦ ସଙ୍କେତ ହଟାଇ ଦିଆଯାଇଛି । ଅକ୍ଟୋବର ୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗୁଜରାଟରେ ମେଘୁଆ ପାଗ ଓ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ସମସ୍ତ ସତର୍କତା ହଟାଇ ଦେଇଛି । କିନ୍ତୁ ମତ୍ସ୍ୟଜୀବୀମାନଙ୍କୁ ଆରବ ସାଗରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି । ବାତ୍ୟା ‘ଶକ୍ତି’ ଭାରତୀୟ ଉପକୂଳ ପାଇଁ ବଡ଼ ବିପଦ ସୃଷ୍ଟି କରିନଥିବାରୁ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ଆଶ୍ବସ୍ତି ଅନୁଭବ କରିଛନ୍ତି ।