କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ମନ୍ଥାର ପ୍ରଭାବ ଆଶଙ୍କାରେ ରାଜଧାନୀ ଥିବା ଚିଡ଼ିଆଖାନା ନନ୍ଦନକାନନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଏହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି । ଏବେ ବାତ୍ୟା ମନ୍ଥା ଆନ୍ଧ୍ର ମଚ୍ଛଲିପଟ୍ଟନମ୍‌ଠାରୁ ମାତ୍ର ୫୦ କିମି ଦୂରରେ ରହିଛି । ବାତ୍ୟା ମନ୍ଥା ଉପକୂଳ ନିକଟତର ହେଉଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଟୁଇନ୍ ସିଟି ସମେତ ପୂରା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ବହୁଛି । ଗଜପତି ଜିଲ୍ଲା ଓ ରାୟଗଡ଼ାରେ ଭୂସ୍ଖଳନ ହୋଇଥିଲା । ମୋହନାରେ ଏକ ବିରାଟକାୟ ପଥର ଖସି ରାସ୍ତା ଉପରେ ପଡ଼ିଥିଲା । ସେପଟେ ଗରବା-ଗୁମ୍ମା ରାସ୍ତା ମଧ୍ୟରେ ପହାଡ଼ ମାଟି ଅତଡ଼ା ଖସି ରାସ୍ତା ବନ୍ଦ ହୋଇଥିଲା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଏହା ସହିତ ଅଧିକାଂଶ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । 

Advertisment

ସେପଟେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ୍‌ ହେବାପୂର୍ବରୁ ସମୁଦ୍ର କରାଳ ରୂପ ଧାରଣ କରିଛି । ଆନ୍ଧ୍ରର କାକିନାଡ଼ାରେ ସମୁଦ୍ରରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଛି । ୧୦ ବର୍ଷର ନାବାଳକ ନିଜ ମାମୁଙ୍କ ସହ ଏକ ବାଇକ୍‌ରେ ଯିବା ବେଳେ ଅଚାନକ ପାଣିକୁ ଖସି ପଡ଼ିଥିଲେ । ଏହାପରେ ତାଙ୍କୁ ଖୋଜାଖୋଜି ଜାରି ରହିଛି । ନାବାଳକ ଜଣକଙ୍କୁ ଖୋଜିବା ପହଞ୍ଚିଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ପ୍ରବଳ ପବନ ଭିତରେ ବି ତ୍ୱରିତ ଭାବରେ ସନ୍ଧାନ କାର୍ଯ୍ୟ ଚାଲିଛି । 


ଜଣେ ବ୍ୟକ୍ତି ଏକ ବ୍ରିଜ୍‌ ପାର୍‌ କରିବା ସମୟରେ ରାସ୍ତା ଉପରେ ପାଣି ଚାଲିଥିଲା । ତେବେ ରାସ୍ତା ଉପରେ କେତେ ପାଣି ଚାଲିଛି ତାହା ଜାଣି ପାରିନଥିଲେ ବ୍ୟକ୍ତି ଜଣକ । ଅଚାନକ ବାଇକ୍‌ରୁ ତାଙ୍କ ଭଣଜା ଖସି ପଡ଼ିଥିଲେ । ଏହାପରେ ସେ ନିଖୋଜ ଅଛନ୍ତି । ସକାଳ ୧୦ଟାରୁ ନାବାଳକ ଜଣକ ନିଖୋଜ ଅଛନ୍ତି । ଏହି ପାଣି ସିଧା ସଳଖ ସମୁଦ୍ରରେ ମିଶୁଛି ତେଣୁ ପିଲାଟି ସମୁଦ୍ରକୁ ଭାସି ଯାଇଥିବା ଆଶଙ୍କା କରାଯାଉଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହାକୁ ନେଇ ଏନ୍‌ଡିଆର୍‌ଏଫ୍‌ ଟିମ୍ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ଛୁଆଟିକୁ ଅପେକ୍ଷା କରି ବସିଛନ୍ତି ପରିବାର ଲୋକେ । 

ଆଉ କିଛି ସମୟ ଭିତରେ  ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳକୁ ଅଗ୍ରସର ହେଉଛି ମୋନ୍ଥା । ଆନ୍ଧ୍ରପ୍ରଦେଶ କାକିନାଡ଼ାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୫୦ କିଲୋମିଟର, କାକିନାଡାଠୁ ୧୫୦କିମି, ଗୋପାଳପୁରଠୁ ୪୭୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି ।