କିନକ ବ୍ୟୁରୋ : ଶେଷ ମୁହୂର୍ତ୍ତରେ ବାତ୍ୟା ମୋନ୍ଥା ଗତି ପଥ ବଦଳାଇଦେଲା । ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ସୀମା ଦେଇ ତେଲେଙ୍ଗାନା ମୁହାଁ ଧରିଛି । ଏହା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା । ମୋନ୍ଥାର ଏ ଯାତ୍ରା ଅପେକ୍ଷାକୃତ ଦୁର୍ବଳ ଥିଲା । ତଥାପି ଛାଡ଼ିଗଲା ଅନେକ କ୍ଷତ ।

Advertisment

ଚାଲିଗଲା ମୋନ୍ଥା, ଦେଇଗଲା ଯନ୍ତ୍ରଣା । ୩୩ଟି ବ୍ଲକ, ୧୧ ସହରାଂଚଳ ପ୍ରଭାବିତ, ବ୍ୟାପକ ଫସଲ ନଷ୍ଟ, ସରକାରଙ୍କ ସମୀକ୍ଷା । ଭୀଷଣ ରୂପରେ ଆସି ପଡୋଶୀ ଆନ୍ଧ୍ରପ୍ରଦେଶରେ ବିତ୍ପାତ ରଚିଲା ବାତ୍ୟା ମୋନ୍ଥା । ହେଲେ ବଡ଼ ବିପଦରୁ ବର୍ତ୍ତିଗଲା ଓଡ଼ିଶା । ଓଡ଼ିଶା ସୀମାରେ ଘଷି ହୋଇଗଲା । ସେଥିରେ ଅଧା ଓଡ଼ିଶାକୁ ଦେଇଗଲା ଯନ୍ତ୍ରଣା । ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ତୁହାକୁ ତୁହା ଲାଗି ରହିଛି ବର୍ଷା । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଗଜପତି, ଗଞ୍ଜାମ, ମାଲକାନଗରି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ବାଲେଶ୍ୱର, କୋରାପୁଟ(ପଟାଙ୍ଗି) ସମେତ ବହୁ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଆହାର ଧରୁଥିବା ଧାନ ଗଛ ପାଣିରେ ଶୋଇ ପଡ଼ିଛି । ପରିବା ଜମିରେ ବି ପାଣି ଛିଡା ହୋଇଛି । କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇଛି ।

ବର୍ଷା ପବନରେ ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଛି । ବଡ଼ ବଡ଼ ଗଛ ମଧ୍ୟ ଭାଙ୍ଗିପଡ଼ିଛି । ଗଜପତି ଜିଲ୍ଲାରେ ଏକାଧିକ ସ୍ଥାନରେ ଭୁସ୍ଖଳନ ହୋଇଛି । ରାୟଗଡ଼ ବ୍ଲକର ବଣ୍ଡା ପାହାଡରୁ ମାଟି ଅତଡା ଓ ପଥର ଧସି ୨ଟି ସ୍ଥାନରେ ଯାତାୟତ ପ୍ରଭାବିତ ହୋଇଛି । କାଶୀନଗର ବ୍ଲକରେ ଦୁଇଟି ସ୍ଥାନରେ ହୋଇଛି ଭୁସ୍ଖଳନ । ଆର- ଉଦୟଗିରିରୁ ମଧ୍ୟ ଆସିଛି ସମାନ ଚିତ୍ର ।

ବାତ୍ୟା ଚାଲିଯିବା ପରେ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଆସନ୍ତାକାଲିଠାରୁ କ୍ଷୟକ୍ଷତିର ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦିଅ। ଘର ଭାଙ୍ଗିଥିଲେ ଆକଳନ ପରେ ମିଳିବ କ୍ଷତିପୂରଣ । ମୋନ୍ଥା ଦିଗ ପରିବର୍ତ୍ତନ କରିବାରୁ ଓଡ଼ିଶା ବଡ଼ ବର୍ଷାରୁ ରକ୍ଷା ପାଇଯାଇଛି ବୋଲି କହିଛି ପାଣିପାଗ ବିଭାଗ ।