କନକ ବ୍ୟୁରୋ: ଏପଟେ ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶର କାକିନାଡାରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିବା ବେଳେ ରାୟଗଡ଼ା ଜିଲ୍ଲା ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରିବା ସହ ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବାକୁ  ନିର୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ--- ଆଜି ରାତି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା; ଦକ୍ଷିଣ ଓଡ଼ିଶାରେ ପଡ଼ିପାରେ ବଡ଼ ପ୍ରଭାବ...

ଖାଲି ଏତିକି ନୁହେଁ ସମ୍ଭାବ୍ୟ ବାତ୍ୟାକୁ ନେଇ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଆଉ ୧୫ ଦିନ ପରେ ଧାନ ଅମଳ ଆରମ୍ଭ ହୋଇଯାଇଥାନ୍ତା । ବିଲରେ ପାଚିଲା ଧାନ ଲହରାଇଛି । କେଉଁଠି ଧାନ ଥୋଡ ବାହାରୁଛି ତ କେଉଁଠି ଧାନ ଦର ପାଚିଲା ହୋଇଛି । ଯଦି ବର୍ଷା ହୁଏ ତ ପାଚିଲା ଧାନ ବି ନଷ୍ଟ ହେବ ଯେଉଁ ଧାନ ଥୋଡ଼ ବାହାରୁଛି ସେ ଫୁଲ ଝଡ଼ିଯିବାରୁ ସେ ବି ନଷ୍ଟ ହେବ । ତେଣୁ ଚାଷୀ ମାନେ ବାତ୍ୟା ଆଶଙ୍କା କରି କଞ୍ଚା ଧାନକୁ ତର ବରିଆ ଭାବେ କାଟିନେଇ ଅମଳ କରୁଛନ୍ତି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବାତ୍ୟା ଖବର ଶୁଣି  ଚିନ୍ତାରେ ପଡ଼ିଛନ୍ତି ଚାଷୀ । ହଜାର ହଜାର ହେକ୍ଟର ଜମିରେ ପାଚିଲା ଧାନ ଥିବାରୁ ବର୍ଷା ହେଲା ଫସଲ ନଷ୍ଟ ଆଶଙ୍କା ଚାଷୀଙ୍କୁ ଘାରିଛି । ତେଣୁ ଅମଳ ସମୟ ପୂର୍ବରୁ ଚାଷୀ ଧାନ ଅମଳ କରୁଥିବା ଦେଖିବାକୁ ମିଳିଛି ।  

ଧାନ ଚାଷୀଙ୍କ ସହ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ଚିନ୍ତାରେ ମକା ଚାଷୀ । ତରବରିଆ ଭାବେ ଶୁଖିଥିବା ମକାକୁ ବର୍ଷାରୁ ରକ୍ଷା କରିବା ପାଇଁ ଲାଗି ପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲାର ମକା ଚାଷୀ । କିଏ ଗଛର ମକା ତୋଳିବାରେ  ବ୍ୟସ୍ତ ତ ଆଉ କେହି ଶୁଖାଇ ଥିବା  ମକାକୁ ବ୍ୟାଗ ରେ ଭରି ସ୍ଥାନାନ୍ତର କରିବାରେ ବ୍ୟସ୍ତ । ଆଉ କେହି ଶୁଖିଯାଇଥିବା ମକାକୁ ମେସିନ ଦ୍ୱାରା ଛଡାଇବାରେ ବ୍ୟସ୍ତ । ବର୍ଷ ତମାମ ଖରା , ବର୍ଷା ଦାଉରୁ ଫସଲକୁ ସୁରକ୍ଷିତ ରଖି ଚଳିତ ବର୍ଷ ଭଲ ଅମଳ ହୋଇଥିବା ବେଳେ ଠିକ ଅମଳ ବେଳକୁ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚାଷୀ ମନରେ ଛନକା ପଶି ଯାଇଛି । ସେଥିପାଇଁ ନିଜ ଫସଲକୁ ସୁରକ୍ଷିତ ଭାବେ ସାଇତି ରଖିବା ପାଇଁ ତତ୍ପର ହୋଇପଡିଛି ।