କନକ ବ୍ୟୁରୋ : ଅକ୍ଟୋବର ମାସରେ ଡରାଇଲାଣି ବାତ୍ୟା ଭୟ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୧ ତାରିଖରେ ଏହି ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହୋଇ ଲଘୁଚାପର ରୂପ ନେବ । ଉତ୍ତର-ପଶ୍ଚିମ ଦିଗରେ ଏହା ଗତିକରି କେନ୍ଦ୍ରୀୟ ବଙ୍ଗୋପସାରରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ , ପବନର ବେଗ ଘଣ୍ଟାପ୍ରତି ୫୦ରୁ ୫୫ କିଲୋମିଟର ରହିବ । ୨୩ ତାରିଖରୁ ପ୍ରବଳ ବର୍ଷା ହେବ , ୨୪ ତାରିଖରୁ ବର୍ଷାର ପରିମାଣ ବଢିବ । ସମୁଦ୍ର ଅଶାନ୍ତ ରହିବା ନେଇ ୨୧ ତାରିଖରୁ ହିଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Advertisment

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଛି । ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ । ବିଭିନ୍ନ ପାଣିପାଗ ମଡେଲକୁ ତର୍ଜମା କରୁଛି ଭାରତୀୟ ପାଣିପାଗ ବିଭାଗ । ଏହାପରେ ପ୍ରାୟ ମଙ୍ଗଳବାର ଆଡକୁ ବାତ୍ୟାର ଗତିପଥ ସ୍ପଷ୍ଟ କରିବ ଆଇଏମଡି । ବାଂଲାଦେଶ ଓ ଉତ୍ତର ଆନ୍ଧ୍ର ଆଡେ ମୁହାଁଇବ ନା ଓଡିଶା ଆଡେ ଆସିବ ତାହା ସ୍ପଷ୍ଟ କରିବ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ୨୩ ତାରିଖରେ ବାଲେଶ୍ବର , ଭଦ୍ରକ , କେନ୍ଦ୍ରାପଡା, ପୁରୀ , ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।