କନକ ବ୍ୟୁରୋ : ଅକ୍ଟୋବର ଆସିଲେ ବଢୁଛି ବାତ୍ୟା ଭୟ। ଏବେ ଅକ୍ଟୋବର ମାସ ଚାଲିଥିବାରୁ ଓଡ଼ିଶାରେ ବାତ୍ୟା ନେଇ ଆଶଙ୍କା ଦେଖାଦେଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି । ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତାହା କ୍ରମଶଃ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଆଡକୁ ମୁହାଁଇବ । ଯାହା ପ୍ରଭାବରେ ୨୧ ତାରିଖରୁ ୨୩ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ଯାଇଛନ୍ତି, ସେମାନେ ୨୧ ତାରିଖ ସୁଦ୍ଧା କୂଳକୁ ଫେରିଆସିବା ଉଚିତ୍ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । କୌଣସି ଜିଏଫଏକ୍ସ ମଡେଲକୁ ଅନୁସରଣ ନକରି ଆଇଏମଡି ପୂର୍ବାନୁମାନକୁ ଅନୁକରଣ କରିବାକୁ କହିଛନ୍ତି ଆଇଏମଡି ଡିଜି । ତେବେ ଓଡ଼ିଶା ପାଇଁ ବାତ୍ୟା ଲାଗି କୌଣସି ୱାର୍ଣ୍ଣିଙ୍ଗ ଦିଆଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି । ୨୧ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ପୂର୍ବାନୁମାନ କରାଯିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ଦିନ ପାଇଁ ସତର୍କ ସୂଚନା ଦିଆଯାଇଛି । ଅକ୍ଟୋବର ୨୯ ତାରିଖ ପାଇଁ ସେଭଳି କୌଣସି ପୂର୍ବାନୁମାନ କରାଯାଇନଥିବା ଫୋନ ଯୋଗେ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ଅକ୍ଟୋବରରେ ପୁଣି ବଢିଲା ବାତ୍ୟା ଭୟ, ଆଇଏମଡି ଡିଜିଙ୍କ ସୂଚନା, ଓଡ଼ିଶାକୁ ନାହିଁ ବାତ୍ୟା ୱାର୍ଣ୍ଣିଂ
Advertisment
Follow Us