କନକ ବ୍ୟୁରୋ: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଦାନା’ । ଲ୍ୟାଣ୍ଡଫଲ ପୂବର୍ରୁ ବାତ୍ୟାର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭିତରକନିକାରୁ ଧାମରା ଭିତରେ ବାତ୍ୟା କରିପାରେ ଲ୍ୟାଣ୍ଡଫଲ । ୨୪ ତାରିଖ ରାତି ଓ ୨୫ ତାରିଖ ଭୋରରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Advertisment
  • ଓଡ଼ିଶା ମୁହାଁ ବାତ୍ୟା ‘ଦାନା’
  • ଭିତରକନିକା ପ୍ରତି ବଢିଲା ବିପଦ
  • ଭିତରକନିକାରୁ ଧାମରା ଭିତରେ କରିପାରେ ଲ୍ୟାଣ୍ଡଫଲ
  • ୨୪ ରାତିରେ ପ୍ରଳୟ କରିବ!
  • ୨୫ରେ ବି କରିବ କଲବଲ

ଆସୁଛି ଦାନବ ରୂପି ବାତ୍ୟା ‘ଦାନା’। ଓଡ଼ିଶା ଆଡକୁ ଏକମୁହାଁ ହୋଇ ମାଡି ଆସୁଛି। ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ପ୍ରଳୟ ରଚିବ ବାତ୍ୟା। ତେବେ ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି। ଲ୍ୟାଣ୍ଡଫଲ ପୂବର୍ରୁ ବାତ୍ୟାର ସମ୍ଭାବ୍ୟ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ବାତ୍ୟା ଦାନାର ଗତିପଥ 

  • ୨୨ ତାରିଖ ରାତି ୧୧ଟା ୩୦ରେ ଗଭୀର ଅବପାତର ରୂପ ନେବ, ୫୦ରୁ ୬୦ କିମି ବେଗରେ ବହିବ ପବନ
  • ୨୩ ତାରିଖ ସକାଳ ୧୧ଟା ୩୦ରେ ନେବ ବାତ୍ୟାର ରୂପ,  ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି
  • ୨୩ ତାରିଖ ରାତି ୧୧ଟା ୩୦ରେ ସ୍ଥଳଭାଗ ଆଡକୁ ମୁହାଁଇବ ବାତ୍ୟା, ପବନର ବେଗ ୮୦ରୁ ୯୦ କିମି ରହିବ
  • ୨୪ ତାରିଖ ସକାଳ ୧୧ଟା ୩୦ରୁ ଭୀଷଣ ବାତ୍ୟାର ରୂପ ନେବ ଦାନା, ୯୦ରୁ ୧୦୦ କିମି ବେଗରେ ପବନ ବହିବ
  • ୨୪ ତାରିଖ ରାତି ଓ ୨୫ ତାରିଖ ପାହାନ୍ତି ଭିତରେ ଲ୍ୟାଣ୍ଡଫଲ କରିପାରେ ଦାନା
  • ଭିତରକନିକାରୁ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା
  • ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ବହିବ ପବନ

ସମ୍ଭାବ୍ୟ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ର ମଝିରେ ରହି ବଳ ଗୋଟାଉଛି। ଧୀରେ ଧୀରେ ଏହା ସ୍ଥଳଭାଗ ଆଡକୁ ଗତି କରୁଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ସମୁଦ୍ର ମଝିରେ ଏହା ଯେତେ ଅଧିକ ସମୟ ରହିବ, ସେତେ ଅଧିକ ଶକ୍ତିଶାଳୀ ହୋଇ ସ୍ଥଳଭାଗରେ ମାଡ ହେବ।  ପବନର ବେଗ ବଢିବା ସହ ଭୀଷଣ ବର୍ଷାରେ ଅଧା ଓଡ଼ିଶା ହେବ କଲବଲ। ବାତ୍ୟା ଲ୍ୟାଣ୍ଡଫଲ କଲାବେଳେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିବ। ସ୍ଥଳ ବିଶେଷରେ ଏହା ୧୨୦ କିମି ଛୁଇଁପାରେ ବୋଲି ଆକଳନ କରାଯାଇଛି।

ଅକ୍ଟୋବର ପୁଣିଥରେ ଓଡ଼ିଶା ଛାତିରେ ଆତଙ୍କ ଭରିଛି। ୧୯୯୯ ମହାବାତ୍ୟା ପରେ ଏବେ ପୁଣିଥରେ ଅକ୍ଟୋବରରେ ବାତ୍ୟା ହେଉଥିବାରୁ ଭୟଭୀତ ଓଡ଼ିଶାବାସୀ।