ଆତଙ୍କ ଖେଳାଉଛି ‘ଦାନା’: ଭିତରକନିକାରେ ମାଡ଼ ହେଲା

ଭୀଷଣ ବାତ୍ୟା ‘ଦାନା’ ସ୍ଥଳଭାଗକୁ ପ୍ରବେଶ କରୁଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ି ପାରାଦୀପଠାରୁ ୬୦ କିମି ଓ ଧାମରାଠାରୁ ୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ପବନର ଘଣ୍ଟାପ୍ରତି ବେଗ ୧୦୫ରୁ ୧୧୫ କିଲୋମିଟର ରହିଛି।

22222222

କନକ ବ୍ୟୁରୋ: ଓଡ଼ିଶା‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକ୍ରିୟା ୫ ଘଣ୍ଟା ଅର୍ଥାତ୍‌ ୨୫ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଜାରି ରହିବ। ସ୍ଥଳଭାଗକୁ ପ୍ର‌ବେଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଛି। ବେଳେବେଳେ ୧୨୦ କିମି ବେଗରେ ଝଟ୍‌କା ଦେଇ ଆଗକୁ ବଢ଼ୁଛି। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି। କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର। ତିନି ମିଟର ଉଚ୍ଚର ଜୁଆର ମାଡ଼ ଦ୍ବାରା କେତେକ ସ୍ଥାନରେ ଅତଡ଼ା ଖାଉଛି।

ସ୍ଥଳଭାଗ ଛୁଇଁବା ସହ ‘ଦାନା’ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି। ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘରଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ଡାଳ ପଡ଼ି କିଛି ସ୍ଥାନରେ ବିଦ୍ୟୁତ୍‌ ଓ ଟେଲିଫୋନ୍‌ ତାର ଛିଣ୍ଡିଛି। ପିଚୁ ଓ ମାଟି ରାସ୍ତା ଧୋଇଯାଇଛି। ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁଛି ତାହା ନିକଟରେ ଗଛ ଉପୁଡ଼ିବା ସହ ଡାଳ ଭାଙ୍ଗି ପଡ଼ିଥିବା ନଜରକୁ ଆସିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ କଦଳୀ, ଅମୃତଭଣ୍ଡା, ସଜନା, ଚାକୁଣ୍ଡା ପରି ଗଛ ବହୁ ପରିମାଣରେ ଭାଙ୍ଗିଛି। ଘଣ୍ଟାପ୍ରତି ୧୦୦ କିମି ବେଗର ପବନ ମାଡ଼ରେ ବଡ଼ ବଡ଼ ଗଛ ଧରାଶାୟୀ ହୋଇପଡ଼ିଛି। ବ୍ୟାପକ ପରିମାଣରେ ଧାନଫସଲ କ୍ଷତି ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe