କନକ ବ୍ୟୁରୋ: ବଙ୍ଗୋପସାଗରରେ ଗଭୀର ଅବପାତ । ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

Advertisment

କିଛିକିଛି ସ୍ଥାନରେ ୧୨ ସେଣ୍ଟିମିଟରରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୮ ତାରିଖରେ ୫ ଜିଲ୍ଲାକୁ ରେଡୱାର୍ଣ୍ଣିଂ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି ହୋଇଛି । ଏହି ୫ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୨୯ ତାରିଖରେ ୫ ଜିଲ୍ଲାକୁ ରେଡୱାର୍ଣ୍ଣିଂ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  

ସେପଟେ, ଚାଷୀଙ୍କୁ ଆତଙ୍କିତ କରୁଛ ସମ୍ଭାବ୍ୟ ବାତ୍ୟା । ତରବରିଆ ଭାବେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଆଗାମି ୩ ଦିନ ଧରି ରେଡ ଆଲର୍ଟ ଜାରି ହୋଇ ଥିବାରୁ ଲୋକେ ଆତଙ୍କିତ ହୋଇ ପାଚିଲା-ଅପାଚିଲା ଧାନ ସବୁ କାଟି ନେଉଛନ୍ତି । ଧାନ କଟା ମେସିନ ପାଇବା ଲାଗି ଚାଷୀଙ୍କ ଧାଡି ଲାଗିଛି । ମାଲକାନଗିରି ଏମଭି ୪୩ ଗାଁରେ ଦିନ ରାତି ଧାନ କଟା ଜାରି ରଖିଛନ୍ତି ଚାଷୀ ।

 ବାତ୍ୟାକୁ ନେଇ ସଜାଗ ମତ୍ସ୍ୟଜୀବୀ । ଚିଲିକାରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ମେସିନକୁ  ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସହ ସହ ମତ୍ସ୍ୟଜୀବୀ ଚିଲିକାରେ ମାଛ ଧରିବା ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି । ପୂର୍ବ ବାତ୍ୟାରେ ଚିଲିକାରେ ମତ୍ସଜୀବୀମାନଙ୍କ ଡଙ୍ଗା ଜାଲ ସମସ୍ତ ସାମଗ୍ରୀ ସେମାନଙ୍କର କ୍ଷତି ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ମିଳି ପାରିନାହିଁ  । ପୁଣି ଆଉ ଏକ ବତ୍ୟା ଖବର ସୁଣି ସେମାନଙ୍କ ମନରେ ଛନକା ପସି ଯାଇଛି ।