କନକ ବ୍ୟୁରୋ: ଅକ୍ଟୋବର ଆସିନି…ବାତ୍ୟାର ସତର୍କ ସୂଚନା ମିଳିଗଲାଣି । ପାଣିପାଗ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ପରେ ପୂରା ଓଡ଼ିଶାର ଲୋକ ଛାନିଆ ହେଲେଣି । କାରଣ ଅକ୍ଟୋବରରେ ହୋଇଥିବା ବାତ୍ୟାର ତାଣ୍ଡବ ଏବେ ବି ଓଡ଼ିଶା ଲୋକ ଭୁଲିନାହାନ୍ତି । ଇଏ ତ ଗଲା ଅକ୍ଟୋବରର କଥା…ହେଲେ ଏବେ ଲଘୁଚାପ ପ୍ରଭାବରେ ପୂରା ରାଜ୍ୟରେ ବର୍ଷା ଲାଗିରହିଛି । ଗତ ମାସେ ଭିତରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ଅନେକ ନଦୀରେ ବନ୍ୟା ଆସିଛି । ଲକ୍ଷଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆଉ ଏବେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ କେତେ କ୍ଷତି ହେବ ତାହାକୁ ନେଇ ବି ଚିନ୍ତାରେ ଲୋକ । 

ବଙ୍ଗୋପସାଗରରେ ଲଘୁଚାପ
ପୂରା ଓଡ଼ିଶାରେ ବର୍ଷା
ବନ୍ୟା ବିପଦକୁ ବାତ୍ୟା ସତର୍କତା

ଲଘୁଚାପ ପ୍ରଭାବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଖାସ୍‌ କରି କୋରାପୁଟ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାସହ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ବି ଜାରି ହୋଇଛି । ସେପଟେ ପୁଣି ଦୁର୍ଗାପୂଜା ପରେ ବାତ୍ୟା ଭୟ ଥିବା ପାଣିପାଗ ବିଭାଗ କହିବା ପରେ ଚର୍ଚ୍ଚା ଜୋର । 

ଏଥର ଦୁର୍ଗାପୂଜା ପରେ ହେବ କି ବାତ୍ୟା ?

ସରିଯାଇଥିବ ଦୁର୍ଗା ପୂଜା । ଲକ୍ଷ୍ମୀ ପୂଜା ଓ ଦୀପାବଳିକୁ ନେଇ କିନ୍ତୁ ଏବେଠୁ ବଢ଼ିଲାଣି ଚିନ୍ତା । କାରଣ, ଅକ୍ଟୋବର ଆଣିପାରେ ବଡ଼ ବାତ୍ୟା । ଲା-ନିନାର ସକ୍ରିୟତା ଏମିତି ଡରାଇଲାଣି । ଓଡ଼ିଶାର ବାତ୍ୟା ଇତିହାସ ପୃଷ୍ଠାକୁ ଓଲଟାଇ ପାଣିପାଗ ବିଜ୍ଞାନୀ କହୁଛନ୍ତି, ଯେତେବେଳେ ଲା-ନିନା ସକ୍ରିୟ ହୋଇଛି, ଓଡ଼ିଶା ବାତ୍ୟାକୁ ସାମ୍ନା କରିଛି । ତେଣୁ ଏଥର ବି ବାତ୍ୟା ହୋଇପାରେ । 

ସୂଚନା ଅନୁସାରେ, ଏଥର ଅକ୍ଟୋବରରୁ ଡିସେମ୍ବର ଯାଏଁ ପ୍ରଶାନ୍ତ ମହାସାଗର ଜଳବାୟୁରେ ସକ୍ରିୟ ରହିବ ଲା-ନିନା । ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବାରୁ ପାଣିପାଗ ଜନିତ ଅସ୍ଥିରତା ବଢ଼ିବ । ପାଣିପାଗ ବିଜ୍ଞାନୀଙ୍କର ଏଭଳି ଆକଳନ ପରେ ବଙ୍ଗୋସାଗରରେ ବାତ୍ୟା ଭୟ ବଢ଼ିଛି । ଦିନେ କି ମାସେ ନୁହେଁ ଆସନ୍ତା ତିନିମାସ ଓଡ଼ିଶା ପାଇଁ ସମୁଦ୍ର ଆଡ଼ୁ ଆସିପାରେ ଭୀଷଣ ବିପଦ । ଉପକୂଳର ଯେ କୌଣସି ସ୍ଥାନକୁ ଛୁଇଁପାରେ ବାତ୍ୟା । ପାଣିପାଗ ବିଜ୍ଞାନୀ ପାଦେ ଆଗକୁ ଯାଇ କହିଲେଣି, ବଙ୍ଗୋପସାଗରରେ ମୌସୁମୀ ପରବର୍ତ୍ତୀ ସମୟରେ ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ୩୧ ଡିଗ୍ରି କିମ୍ବା ଅଧିକ ରୁହେ । ପରିଣାମରେ ଏସବୁ ଅଞ୍ଚଳ ବାତ୍ୟା ସୃଷ୍ଟି ପାଇଁ ଅଧିକ ସମ୍ବେଦନଶୀଳ ହୋଇପଡ଼ନ୍ତି ।

ଏହି ତିନିମାସରେ ପ୍ରଶାନ୍ତ ମହାସାଗର କିମ୍ବା ଚାଇନା ସାଗରରେ ସୃଷ୍ଟି ବାତ୍ୟା କିମ୍ବା ଲଘୁଚାପର ଅବଶିଷ୍ଠାଂଶ ବଙ୍ଗୋପସାଗରରେ ପ୍ରବେଶ କଲେ ବାତ୍ୟା ସୃଷ୍ଟି ପାଇଁ ସୁଯୋଗ ବଢ଼ିଯାଏ । ଏଥର ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହୋଇପାରେ । ଓଡ଼ିଶା ବାତ୍ୟା ଇତିହାସ ବି ପାଣିପାଗ ବିଜ୍ଞାନୀଙ୍କ ଏଭଳି ଆଶଙ୍କାକୁ ବଳ ଦେଉଛି । ଲା-ନିନା କେବଳ ଓଡ଼ିଶାକୁ ନୁହେଁ, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଉପକୂଳ ପାଇଁ ବି ବିପଦ ଆଣିପାରେ ।