କନକ ବ୍ୟୁରୋ: ବାତ୍ୟା ପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ନୟାଗଡ, କଟକ ଓ ଢେଙ୍କାନାଳ ଆଦି ୧୪ଟି ଜିଲ୍ଲା ପ୍ରଭାବିତ ହେଇଛି । ଏସ୍‌ରେ ୧୦୮ ଟି ବ୍ଲକ୍ ର ୧୬୭୧ଟି ଗ୍ରାମପଞ୍ଚାୟତ ଓ ୮୩୧୭ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ, ୩୧ଟି ସହରାଞ୍ଚଳର ୪୨୬ ଟି ୱାର୍ଡର ୩୫,୯୫,୦୧୫ ଜନସାଧାରଣ ପ୍ରଭାବିତ ହୋଇଛନ୍ତି ।

Advertisment

ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ଲକ୍ଷ ୧୦ ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ବାତ୍ୟା ସମୟ ରେ ୬୨୧୦ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ସେଥ୍ ମଧ୍ୟ ରୁ ବର୍ତମାନ ୧୧୭୮ଟି କାର୍ଯ୍ୟକ୍ଷମ ଅଛି । ସେଠାରେ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଏବେ ସୁଦ୍ଧା ୨୩୨୨ କୁଇଣ୍ଟାଲ ଚୁଡା ଓ ୨୯୭ କୁଇଣ୍ଟାଲ ଗୁଡ ଓ ୭୫୫ ପ୍ୟାକେଟ ପଲିଥୁନ ରୋଲ ରିଲିଫ୍ ଆକାରରେ ବଣ୍ଟା ଯାଇଛି । ଲଗାଣ ବର୍ଷା ଯୋଗୁଁ ୬୫୯୮୪୨ ରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୩୫ ଟି ଡାକ୍ତରୀ ଦଳ ଓ ୨୦୧ଟି ପଶୁଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି । ୧୨୫୦୯୧.୭ ହେକ୍ଟର ଚାଷ ଜମି ଓ ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ବାତ୍ୟା ପ୍ରଭାବରେ କୁଡିଆ ଘର, ମାଟିଘର, ଓ ଚାଳଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପଞ୍ଚୟତିରାଜ ବିଭାଗ ପକ୍ଷରୁ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ବିଭାଗର ସଚିବ ଓ ୧୪ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ । ବାତ୍ୟା ‘ଦାନା’ର ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜୀବନ ଯାତ୍ରା ସ୍ୱାଭାବିକ ହେଲାଣି । ବାତ୍ୟା ସମୟରେ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଫଳରେ ବାତ୍ୟାର ସଫଳ ପରିଚାଳନା ସମ୍ଭବ ହୋଇ ପାରିଲା । ସବୁଠାରୁ ବଡ଼ କଥା ହେଲା ଏହି ବାତ୍ୟାରେ ଜିରୋ କାଜୁଆଲିଟୀ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।