କନକ ବ୍ୟୁରୋ: ସାଇବର ଠକେଇ। କେତେବେଳେ ଓ କିଏ ଏହାର ଶିକାର ହେବ, ତାହା କେହି କହିପାରିବେନି। ସାରା ବିଶ୍ବରେ ଏବେ ଏହି ସାଇବର ଠକେଇ ମୁଣ୍ଡବ୍ୟଥାର କାରଣ ହୋଇଛି। କାରଣ ଆଖି ପିଛୁଳାକେ ଆକାଉଣ୍ଟରୁ ଗାଏବ ହୋଇଯାଉଛି କଷ୍ଟ ଉପାର୍ଜିତ ଟଙ୍କା। ଥରେ ସେହି ଟଙ୍କା ଗଲା ପରେ ଆଉ ଫେରିବା ପାଇବା ଆଶା ଛାଡ଼ି ଦେଉଛନ୍ତି। ଏହାରି ଭିତରେ କମିସନରେଟ ପୁଲିସର ତଥ୍ୟ ମଧ୍ୟ ବେଶ୍ ଚିନ୍ତାଜନକ। 

Advertisment
  • ସାଇବର ଲୁଟ୍, ଆଜି କାହାର ପାଳି?
  • ସତର୍କ ନହେଲେ, ଖାଲି ହୋଇଯିବ ଆକାଉଣ୍ଟ

କୌଣସି ମୁହୂର୍ତ୍ତରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି। ଆଖି ପିଛୁଳାକେ ଗାଏବ ହୋଇଯିବ କୋଟି କୋଟି ଟଙ୍କା। ଭିନ୍ନ ଭିନ୍ନ ତରିକାରେ ଲୁଟ୍‌ କରିଚାଲିଛନ୍ତି ସାଇବର ଲୁଟେରା। କେତେବେଳେ ଗେମିଂ ଆପରେ ତ ଆଉ କେତେବେଳେ ନ୍ୟୁଡ କଲ ଜରିଆରେ, ନହେଲେ, କେୱାଇସି ଅପଡେଟ୍ ନାଁରେ କଲ କିମ୍ବା ମେସେଜ୍ ଦେଇ ସାଇବର ଠକ ଠକୁଛନ୍ତି। ଆଖି ପିଛୁଳାକେ ବ୍ୟାଙ୍କ ଖାତା ଖାଲି କରି ଦେଉଛନ୍ତି। ଆଉ କମିଶନରେଟ୍ ପୋଲିସ ଯେଉଁ ତଥ୍ୟ ଦେଇଛି ତାହା ସାମନାକୁ ଆସିବା ପରେ ଚିନ୍ତାରେ ପଡିଛନ୍ତି ଲୋକେ। କେତେବେଳେ କାହା ପାଳି ପଡ଼ିବ? ଆଉ କିଏ ଠକଙ୍କ ଶିକାର ହେବ?  ସେ ନେଇ ଆଶଙ୍କାରେ ଅଛନ୍ତି। 

ସାଇବର ଠକାମିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସମୟରେ ସଚେତନ କରାଯାଉଛି। କିନ୍ତୁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିବା କିଛି ଲୋକେ ଏହାର ବ୍ୟବହାର କ’ଣ ଜାଣନ୍ତି ନାହିଁ। ଯେଉଁଥି ପାଇଁ ଠକଙ୍କ କଥା ମାନି ନିରୀହ ଲୋକ ଲୁଟର ଶିକାର ହେଉଛନ୍ତି। ଏଥିସହ ଅନେକ ଲୋଭର ଶିକାର ହୋଇ ଟଙ୍କା ହରାଉଛନ୍ତି। 

ଓଡ଼ିଶାରେ ମଧ୍ୟ ସାଇବର ଠକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା କମିସନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟି। ନଜର ପକାନ୍ତୁ କମିସନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଥିବା କିଛି ତଥ୍ୟ ଉପରେ।

  • ୨୦୨୪ରେ ସର୍ବାଧିକ ୭,୨୬୩ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି
  • ୮୨ କୋଟି ୫୩ଲକ୍ଷ ୫୬ ହଜାର ଟଙ୍କା ଠକେଇ
  • ୩୮ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ
  • ଅଢ଼େଇ କୋଟି ଟଙ୍କା ଲୋକଙ୍କୁ ଫେରସ୍ତ କରାଯାଇଛି
  • ପ୍ରାୟ ୨୩ କୋଟି ୬୦ଲକ୍ଷ ଟଙ୍କା ଫ୍ରିଜ 

ଏବେ ସାଧାରଣରେ ପ୍ରଶ୍ନ ଯେ କେମିତି ନିୟନ୍ତ୍ରଣକୁ ଆସିବ ସାଇବର ଲୁଟ୍? ସାଇବର ସଇତାନଙ୍କୁ କେମିତି ସାବାଡ଼ କରିବ ପୁଲିସ? ସାଇବର ଠକଙ୍କ ମାୟାଜାଲରୁ ମୁକୁଳିବାର ବାଟ କ’ଣ? ସଚେତନ ନହେଲେ ଆପଣ ବି ହୋଇପାରନ୍ତି ଠକାମିର ଶିକାର।