କନକବ୍ୟୁରୋ : କୋରାପୁଟ ଜିଲ୍ଲାର ବ୍ୟବସାୟୀଙ୍କ ଉପରେ ସାଇବର୍‌ ଠକଙ୍କ ଆଖି । ଦୋକାନକୁ ଆସିଥିବା ଜଣେ ବ୍ୟକ୍ତି ବିଭିନ୍ନ ବ୍ୟବସାୟୀଙ୍କ କ୍ୟୁଆର୍‌ କୋଡ୍‌କୁ ଟଙ୍କା ପଠାଇ କ୍ୟାସ୍‌ ନେଇଥିଲେ । ତା’ର ଠିକ୍‌ ୨ ଦିନ ପରେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା । ପରେ ସମ୍ପୃକ୍ତ ବ୍ୟାଙ୍କକୁ ଯୋଗାଯୋଗ କରିବାରୁ ଜଣାପଡ଼ିଛି, ଯେ ଅବୈଧ ଆକାରରେ ଟଙ୍କା ଆସିଥିବାରୁ ଆକାଉଣ୍ଟ ବନ୍ଦ କରିଦିଆଯାଇଛି ।  ଲକ୍ଷ୍ମୀପୁର ବ୍ଲକରେ ଠକିଗଲେ ଶିକ୍ଷୟିତ୍ରୀ କରଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ନମିତା ମିଣିଆକାଙ୍କ ଆକାଉଣ୍ଟରୁ ଫୋନ୍‌ପେ‌ ଜରିଆରେ ୭୫ ହଜାର ୫୦୦ ଟଙ୍କା ଉଠାଇ ନେଇଛନ୍ତି ସାଇବର ଠକ । ଏନେଇ ଶିକ୍ଷୟିତ୍ରୀ ଜଣକ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ।

Advertisment

ନବରଙ୍ଗପୁରରେ ନୂଆ କରି କଲେଜରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଆସୁଛି ଏମିତି ଅଜଣା କଲ୍‌  ।  ଆଉ ସେମାନଙ୍କୁ ବିଶ୍ୱାସ କରି ଠକେଇର ଶିକାର ହୋଇଛନ୍ତି ଉମରକୋଟ ବ୍ଲକ ଖାଣ୍ଡା ପଞ୍ଚାୟତର ଲକ୍ଷ୍ମଣ ସାନ୍ତା  ।   ପେଣ୍ଡ୍ରାଣୀ କଲେଜର ପ୍ରିନ୍ସପାଲ କହି ଲକ୍ଷ୍ମଣଙ୍କ ଠାରୁ ୨୩ ହଜାର ୧୩୮ ଟଙ୍କା ଠକିନେଇଛନ୍ତି ସାଇବର ଠକ । କଲେଜରେ ପହଞ୍ଚି ଘଟଣା ବାବଦରେ ସତ ଜାଣିବା ପରେ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲକ୍ଷ୍ମଣ  । 

ସେପଟେ ବ୍ରହ୍ମପୁର ଜ୍ୟୋତିନଗରରୁ ବି ଆସିଛି ସାଇବର ଠକେଇ ଅଭିଯୋଗ ।  ଅବସରପ୍ରାପ୍ତ ଏସ୍‌ପି କେଏସ୍‌ଏନ୍‌ ସୁବୁଦ୍ଧି ଠକେଇର ଶିକାର ହୋଇଛନ୍ତି। ଅଧିକ ଟଙ୍କା ଲୋଭରେ ବାପା-ପୁଅ ମିଶି ପ୍ରାୟ ୯୪ ଲକ୍ଷ ଟଙ୍କା ନିବେଶ କରିଥିଲେ ।  ଲକ୍ଷଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି ସଂପୃକ୍ତ ସଂସ୍ଥା। ଏନେଇ ଥାନାରେ ଅଭିଯୋଗ ହେବା ପରେ ସାମ୍ନାକୁ ଆସିଛି ସଂପୂର୍ଣ୍ଣ ଘଟଣା ।