କନକ ବ୍ୟୁରୋ : ସ୍ମାର୍ଟ୍ ସିଟି ରାଉଲକେଲାର ଦୁବାଇକୁ ଲମ୍ବିଛି ସାଇବର ଫ୍ରଡ୍ର ଜାଲ । ଚାଲିଛି କୋଟି କୋଟି ଟଙ୍କାର କାରବାର । ନୀରିହ ଲୋକଙ୍କୁ ଟାର୍ଗେଟ କରି ଖାଲି କରିଦେଉଥିଲେ ଆକାଉଣ୍ଟ୍ l ଏଭଳି ଏକ ଘଟଣାର ପର୍ଦ୍ଦାଫାଶ ପରେ ଚେର୍ ନିକଟରେ ପହଞ୍ଚିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି ପୁଲିସ l ସ୍ମାର୍ଟ ସିଟିରେ ସ୍ମାର୍ଟ ଫ୍ରଡ୍ । ରାଉରକେଲାରୁ ଦୁବାଇକୁ ଲମ୍ବିଛି ସାଇବର ଫ୍ରଡ୍ର ଚେର । ରାଉରକେଲାରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାର ସମେତ ଦୁବାଇ ଓ ନେପାଳ ଯାଏ ଲମ୍ବିଛି ଫ୍ରଡ୍ର ନେଟୱର୍କ । ଆଉ ଏଥିରେ ଜଡିତ ଅଛନ୍ତି କିଛି ବ୍ୟାଙ୍କ୍ କର୍ମଚାରୀ । ବିଭିନ୍ନ ଜାଲ କାଗଜ ପତ୍ର ଦେଇ ବ୍ୟାଙ୍କ୍ରେ ଆକାଉଣ୍ଟ ଖୋଲିବା ପରେ ଆରମ୍ଭ ହେଇଯାଉଛି ଅନ୍ଲାଇନ ଫ୍ରଡ୍ କାରବାର l ଏଭଳି ଏକ ସାଇବର ଠକେଇର ପର୍ଦ୍ଦାଫାଶ କରିଛି ରାଉରକେଲା ପୁଲିସ । ଘଟଣାରେ ୨ଜଣ ବ୍ୟାଙ୍କ୍ କର୍ମଚାରୀଙ୍କ ସହ ୧୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।
ବ୍ୟାଙ୍କ କର୍ମଚାରୀଙ୍କୁ ହାତ ବାରିସୀ କରି ଚଳାଇଥିଲେ ଲୁଟ୍ ସାମ୍ରାଜ୍ୟ । ସରଳ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ପ୍ରଥମେ ଆକାଉଣ୍ଟ୍ ଖୋଲିବାକୁ ଏମାନଙ୍କୁ ଟଙ୍କା ଦିଆଯାଏ । ପରେ ଏହି ଆକାଉଣ୍ଟକୁ ସାଇବର ଅପରାଧୀଙ୍କୁ ୮ରୁ ୧୦ ହଜାରେ ବିକ୍ରି କରାଯାଉଥିଲା l ଆଉ ସାଇବର ଅପରାଧୀ ଏହି ଆକାଉଣ୍ଟ ଜରିଆରେ ଲୁଟିଥାନ୍ତି କୋଟି କୋଟି ଟଙ୍କା । ଏମିତି ଅନେକ ଆକାଉଣ୍ଟ୍ ଲାଗିଛି ପୁଲିସ ହାତରେ । ଏପରିକି ଆଉ କେଉଁ କେଉଁ ବ୍ୟାଙ୍କ୍ କର୍ମଚାରୀ ଠକେଇରେ ସାମିଲ୍ ଅଛନ୍ତି ସେନେଇ ତଦନ୍ତ କରୁଛି ସ୍ପେଶିଆଲ ଟିମ୍ l