holy dip Photograph: (kanakNews)
କନକ ବ୍ୟୁରୋ: ଯଦି ଆପଣ କେଉଁଠି ଡିଜିଟାଲ ଗଙ୍ଗା ସ୍ନାନର ବିଜ୍ଞାପନ ଦେଖନ୍ତି, ତାହେଲେ ଏଥିପ୍ରତି ସତର୍କ ରୁହନ୍ତୁ । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଦାବି କରାଯାଇଛି କି, ‘ଯେଉଁ ଲୋକମାନେ ପ୍ରୟାଗରାଜରେ ପହଞ୍ଚି ପାରିନାହାନ୍ତି ବା ପାରୁ ନାହାନ୍ତି ସେମାନେ ଡିଜିଟାଲ ଗଙ୍ଗା ସ୍ନାନ କରି ପାରିବେ।ଏଥିପାଇଁ ଶ୍ରଦ୍ଧାଳୁ ୫୦୦ଟଙ୍କା ପଠାଇ ନିଜର ଫଟୋ ଓ ହ୍ବାଟସଆପ କରିବାକୁ ହେବ। ଏଯାବତ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇ ଖୁସି ହୋଇ ଘରକୁ ଫେରିଥିବା ବେଳେ ଆଉ କିଛିଲୋକ ପ୍ରବଳ ଭିଡ଼ ହେତୁ ମହାକୁମ୍ଭରେ ପହଞ୍ଚି ପାରୁ ନାହାନ୍ତି ।
ରାସ୍ତାରେ ସେମାନଙ୍କୁ ଟ୍ରାଫିକ ଜାମ ହେତୁ ନାହିଁ ନଥିବାର ଭିଡ଼ର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁ କାରଣରୁ ଉକ୍ତ ଶ୍ରଦ୍ଧାଳୁମାନେ ଏଯାବତ ସଙ୍ଗମରେ ସ୍ନାନ କରି ପାରି ନାହାନ୍ତି। ଏପରି ସ୍ଥିତିରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଏଥିରେ ଦାବି କରାଯାଉଛି ଯେ, ଯେଉଁମାନେ ପ୍ରୟାଗରାଜରେ ପହଞ୍ଚି ପାରି ନାହାନ୍ତି ବା ଯାଇପାରୁ ନାହାନ୍ତି, ସେମାନଙ୍କୁ ଡିଜିଟାଲ ଉପାୟରେ ଗଙ୍ଗା ସ୍ନାନର ସୁଯୋଗ ମିଳିବ। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ୫୦୦ଟଙ୍କା ପଠାଇବାକୁ ହେବ। ଏହାସହ ନିଜର ଫଟୋ ଓ ହ୍ବାଟସଆପ ନମ୍ବର ମଧ୍ୟ ଦେବାକୁ ହେବ। ଏହାପରେ ପ୍ରିଣ୍ଟ ବାହାର କରାଯାଇ ଗଙ୍ଗାରେ ଭସାଇ ଦିଆଯିବ। ଗଙ୍ଗାରେ ଯେଉଁ ଲୋକଙ୍କ ନାମ ଥିବା, ସେହି ପ୍ରିଣ୍ଟ ଭସାଯିବ, ଆଉ ଉକ୍ତ ଲୋକଙ୍କୁ ପୁଣ୍ୟ ମିଳିଯିବ। ହେଲେ ଏହା ଏକ ସ୍କାମ ବୋଲି ଜଣାପଡ଼ୁଛି। କାରଣ ଏହି ପୋଷ୍ଟରରେ ଦିଆଯାଇଥିବା ନମ୍ବରରେ କିଛି ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଯୋଗୋଯୋଗ କରିବାକୁ ଚେଷ୍ଟା କରିଥିଲେ କୌଣସି ପ୍ରକାର ଉତ୍ତର ମିଳି ନଥିଲା। ଏହାସହ ଏପରି କୌଣସି ଡିଜିଟାଲ ମହାକୁମ୍ଭ ସ୍ନାନର ବ୍ୟବସ୍ଥା ନେଇ ଉତ୍ତର ପ୍ରଦେଶର ଯୋଗୀ ସରକାର ଘୋଷଣା କରି ନାହାନ୍ତି। ତେଣୁ ଏପରି ବିଭ୍ରାନ୍ତିକର ବିଜ୍ଞାପନ ଜରିଆରେ ସାଇବର ଠକ ଲୋକଙ୍କୁ ଚୂନା ଲଗାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସ୍ପଷ୍ଟ ହୋଇଛି।
Follow Us