କନକ ବ୍ୟୁରୋ: କୋଟିପତି କରାଇ ଦେବି କହି ସବୁ ଲୁଟି ନେଉଛନ୍ତି । ଆଇପିଏଲ ଆରମ୍ଭ ହେବାପରେ ପ୍ରତ୍ୟେକ କ୍ରିକେଟପ୍ରେମୀ କୋଟିପତି ହେବା ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ପ୍ରତିଦିନ ଡ୍ରିମ୍‌-୧୧, ମାଇସର୍କଲ ୧୧ ଭଳି ଆପ୍‌ରେ କୋଟିକୋଟି ଟଙ୍କା ଲଗାଉଛନ୍ତି ୟୁଜର୍ସ । ହେଲେ ଡ୍ରିମ୍‌-୧୧ ନାଁରେ ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକ । ମାତ୍ର ୪୯ ଟଙ୍କାରେ କୋଟିପତି ହେବା ସ୍ୱପ୍ନ ଦେଖି ଲକ୍ଷ ଲକ୍ଷ ହରାଉଛନ୍ତି ଲୋକେ । ଆଇପିଏଲ୍‌ ଆରମ୍ଭ ହେବା ଦିନଠାରୁ ଡ୍ରିମ୍‌-୧୧ ଭଳି ଆପ୍ଲିକେସନରେ ଟିମ୍‌ ତିଆରି କରି ଟଙ୍କା ଲଗାଉଛନ୍ତି ଲୋକେ । ଏଭଳି ୟୁଜର୍ସ ଏବେ ସାଇବର ଠକଙ୍କ ଟାର୍ଗେଟ୍‌ରେ ଅଛନ୍ତି । ବିଶେଷ କରି ଯେଉଁମାନେ ଟଙ୍କା ହାରୁଛନ୍ତି ସେମାନେ ଏମାନଙ୍କ ଜାଲରେ ଫସି ପାରନ୍ତି । ଝାଡ଼ଖଣ୍ଡରେ ଏଭଳି ହିଁ ଏକ ଗ୍ୟାଙ୍ଗ୍‌କୁ ଗିରଫ କରିଛି ପୁଲିସ । ତେଣୁ ଡ୍ରିମ୍‌-୧୧ କିମ୍ବା ଏଭଳି କୌଣସି ଆପ୍‌ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ ।

Advertisment

ଗିରଫ ହୋଇଥିବା ଗ୍ୟାଙ୍ଗ୍‌ର ସଦସ୍ୟମାନେ ଡ୍ରିମ୍‌-୧୧ରେ ସଫଳତା ପାଇ ପାରୁନଥିବା ୟୁଜର୍ସଙ୍କୁ ଟାର୍ଗେଟ୍‌ କରୁଥିଲେ । ଏଭଳି ଲୋକଙ୍କୁ ଫୋନ୍‌ କରି ଆଜିର ମ୍ୟାଚ୍‌ରେ କୋଟିପତି କରାଇଦେବାର ସ୍ୱପ୍ନ ଦେଖାଉଥିଲେ । ଏଥିପାଇଁ ୟୁଜର୍ସଙ୍କୁ ୪୯ ଟଙ୍କା କିମ୍ବା ୯୯ ଟଙ୍କା ପଠାଇବାକୁ କହୁଥିଲେ ସାଇବର ଠକ । ଥରେ ଟଙ୍କା ପଠାଇବା ପରେ ୟୁଜର୍ସଙ୍କୁ ବ୍ଲକ୍‌ କରି ଦେଉଥିଲେ । ଏହାପରେ ସେହି ଟ୍ରାଞ୍ଜାକ୍ସନ୍‌ ଆଇଡି ବ୍ୟବହାର କରି ସମାନ ଆକାଉଣ୍ଟ୍‌ରୁ ଯାହା ଟଙ୍କା ରହୁଥିଲା ସବୁ ଲୁଟି ନେଉଥିଲେ । ଝାଡ଼ଖଣ୍ଡରେ ଏଭଳି ଗ୍ୟାଙ୍ଗ୍‌ ବିଷୟରେ ସୂଚନା ଦେଇ ପୁଲିସ କହିଛି ଯେ, ଆଇପିଏଲ୍‌ ଭଳି ସ୍ପୋର୍ଟ୍ସ ସିଜିନ୍‌ରେ ଏଭଳି ଗ୍ୟାଙ୍ଗ୍‌ର ସଂଖ୍ୟା ବୃଦ୍ଧି ପାଇଥାଏ । ତେଣୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକ । 

ଝାଡ଼ଖଣ୍ଡରେ ଏଭଳି ଏକାଧିକ ଅଭିଯୋଗ ସାମ୍ନାକୁ ଆସିବା ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ତଦନ୍ତ ବେଳେ ଏଭଳି ଏକ ସାଇବର ଠକ ଗ୍ୟାଙ୍ଗ୍‌କୁ ଗିରଫ କରିଛି ପୁଲିସ । ରାତାରାତି କୋଟିପତି ହେବା ସ୍ୱପ୍ନ ହିଁ ଲୋକଙ୍କୁ ଠକାମିରେ ପକାଉଛି । ଏଣୁ ଏଭଳି କୌଣସି ଆପ୍‌ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ । ବିଶେଷ କରି କେହି ଫୋନ୍‌ କରି, ଆମକୁ ୪୯ ଟଙ୍କା କିମ୍ବା ୯୯ ଟଙ୍କା ଦିଅନ୍ତୁ କୋଟିପତି କରାଇଦେବୁ କହୁଥିଲେ, ଏହା ଏକ ଫ୍ରଡ୍‌ କଲ୍‌ ବୋଲି ଜାଣି ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।