କନକ ବ୍ୟୁରୋ : ଝିଅ ସେକ୍ସ ରାକେଟରେ ଧରାପଡିଛି । ୧୫ ମିନିଟରେ ଲକ୍ଷେ ଟଙ୍କା ଦିଅ । ନହେଲେ ଝିଅର ସବୁ ଫଟୋ ଓ ଭିଡିଓ ଭାଇରାଲ କରିଦେବୁ । ସାଇବର ଠକଙ୍କ ଏପରି ଧମକ ଶୁଣି ଚିନ୍ତାରେ ହୃଦଘାତରେ ମାଆଙ୍କ ଜୀବନ ଚାଲିଯାଇଛି । ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛି ସାଇବର କ୍ରାଇମର ଏପରି ସାଂଘାତିକ ଚିତ୍ର ।  ମୃତକ ୫୮ ବର୍ଷୀୟା ମାଳତୀ ବର୍ମା । ସେ ରାଜକୀୟ କନ୍ୟା ଜୁନିଅର ହାଇସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ମାଳତୀ ସ୍କୁଲରେ ଥିବାବେଳେ ତାଙ୍କ ନମ୍ବରକୁ ହ୍ବାଟସ୍‌ ଆପ୍‌ କଲ୍‌ ଆସିଥିଲା । ଡିପିରେ ପୋଲିସ ପୋଷାକ ପିନ୍ଧିଥିବା ଜଣକର ଫଟୋ ଲାଗିଥିଲା । ଶିକ୍ଷୟିତ୍ରୀ ଫୋନ ରିସିଭ କରିବାରୁ ସେପଟୁ କହିଥିଲେ ତୁମ ଝିଅ ସେକ୍ସ ରାକେଟ୍‌ରେ ଧରାପଡିଛି । ତାର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି । ୧୫ ମିନିଟରେ ଲକ୍ଷେ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ । 

Advertisment

ଏମିତିକି ସେପଟୁ ଝିଅର ସ୍ବର ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିଥିଲେ ଶିକ୍ଷୟିତ୍ରୀ । ସେ ଭୟଭୀତ ହୋଇ ପୁଅକୁ ଘଟଣା ସଂପର୍କରେ କହିଥିଲେ ଆଉ ତୁରନ୍ତ ଲକ୍ଷେ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ । ପୁଅ ଏଥିରେ ବିଶ୍ବାସ ନକରି ମାଆଙ୍କୁ ନମ୍ବର ମାଗିଥିଲେ ଆଉ ଚେକ୍ କରି ପାକିସ୍ତାନ ନମ୍ବର ବୋଲି ଜାଣିବାକୁ ପାଇଥିଲେ । ଏହା ଏକ ଫେକ୍‌ କଲ୍‌ ସେଥିପାଇଁ ବ୍ୟସ୍ତ ନହେବାକୁ ମାଆଙ୍କୁ ବୁଝାଇଥିଲେ । ଏମିତିକି ଭଉଣୀକୁ କଲ୍‌ କରି ମାଆଙ୍କ ସହ କଥା କରାଇଥିଲେ । ତଥାପି ମାଳତି ଦେବୀଙ୍କ ମନ ମାନିନଥିଲା । ୟା ଭିତରେ ସାଇବର ଠକମାନେ ତାଙ୍କୁ ୮ ଥର କଲ୍‌ କରିଥିଲେ । ଧିରେ ଧିରେ ମାଳତୀ ଦେବୀ ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ସେଠାରେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ପୋଲିସ ଏ ମାମଲାର ଯାଞ୍ଚ ଆରମ୍ଭ କରିବା ସହ ସାଇବର ଠକଙ୍କୁ ଖୋଜି ବାହାର କରିବାକୁ ଛାନ୍‌ଭିନ୍‌ ଚଳାଇଛି ।