କନକବ୍ୟୁରୋ: ୩ ଦିନିଆ ରିମାଣ୍ଡରେ ଆସିବେ ୬ ସାଇବର ଠକ। ଆତଙ୍କୀ ଲିଙ୍କ ଓ ଅଣ୍ଡରୱାର୍ଲଡ କନେକ୍ସନ ନେଇ ହେବ ଖୋଳତାଡ଼ । ରାଜଧାନୀରୁ ଫେକ କଲ ସେଣ୍ଟର ଠାବ ହେବା ଘଟଣାରେ ୩ ଦିନିଆ ରିମାଣ୍ଡରେ ଆସିବେ ଠକ । ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା ପୋଲିସ ।
ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ ହୋଇଛି। ଯେଉଁଥିରେ କିଛି ସାଇଣ୍ଟିଫିକ ଓ ଟେକ୍ନିକାଲ ଅଫିସର ଅଛନ୍ତି । ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ଼ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୁନା ଲଗାଇଛନ୍ତି ଏହି ଠକ ।
ଗିରଫ ଅଭିଯୁକ୍ତ ମାନେ ଟେକ୍ନିକାଲ ଗ୍ରାଜୁଏଟ। ଏହି ସାଇବର ଠକ ମାନଙ୍କର ଆକାଉଣ୍ଟ ଯାଞ୍ଚ ଚାଲିଛି। ବ୍ୟାଙ୍କ ସହ କଥା ହୋଇଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ ସେଣ୍ଟ୍ରାଲ ଆଇବିର ଟିମ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି । ଖୁବଶୀଘ୍ର କୋଲକାତା ଗସ୍ତ କରିବ କମିଶନରେଟ ପୋଲିସ। ଜବତ ଡିଜିଟାଲ ଡିଭାଇସ ଗୁଡିକୁ ଫରେନସିକ ଲ୍ୟାବକୁ ପଠାଯାଇଛି ।
୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାରେ କୋକିଳା କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଫ୍ଲାଟ ନମ୍ବର ୨୦୫ରେ ଫେକ କଲ ସେଣ୍ଟର ଚାଲୁଥିବା ବେଳେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଧରିବା ସହ ଅନେକ ଡିଜିଟାଲ ଡିଭାଇସ ଜବତ କରିଥିଲା କମିଶନରେଟ ପୋଲିସ ।