Road problem Photograph: (kanak news)
କନକ ବ୍ୟୁରୋ : କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି କାମ ସରୁନି, ଅଧପନ୍ତରିଆ ପଡ଼ିଛି । ଅଢ଼େଇ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲାଗିଲାଣି ୪ବର୍ଷ ସମୟ । ହଁ, ଆମେ କଟକ ଜିଲ୍ଲା ନିଆଳି ଅଞ୍ଚଳର କଥା କହୁଛୁ । ରାସ୍ତା ଯନ୍ତ୍ରଣା ଭୀଷଣ ହେବା ପରେ ଏବେ ଗାଁ ଲୋକେ ଧାରଣା ବସିଛନ୍ତି । ସିଧା ସିଧା ଶୁଣାଇଛନ୍ତି, ଦାବି ପୂରଣ କରିବନି ଯଦି, ପରିଣାମ ପାଇଁ ପ୍ରସ୍ତୁତ ରୁ ହ ।
ଅଧପନ୍ତରିଆ ହୋଇ ପଡ଼ିରହିଛି ରାସ୍ତା କାମ । ଏଣେତେଣେ ବିଛାଇ ହୋଇ ପଡ଼ିଛି ମେଟାଲ୍ । ରାସ୍ତାର ଉଭୟ ପାର୍ଶ୍ବରେ ବିରାଟ ବିରାଟ ଗାତ ହୋଇଛି । ଗାଡ଼ି ତ’ ଦୂରର କଥା, ଏହି ରାସ୍ତା ଦେଇ ଚାଲିକି ଯିବା ବି କଷ୍ଟକର । ନିଆଳି ବ୍ଲକ ସିଠାଳୋ ପଞ୍ଚାୟତ ଠାରୁ ମହାବୀର ମନ୍ଦିର ପର୍ଯ୍ୟନ୍ତ ଅଢେଇ କିଲୋମିଟର ରାସ୍ତାର ଅବସ୍ଥା ଏଭଳି ସଙ୍ଗିନ୍ ସ୍ଥିତିରେ ପହଞ୍ଚିଛି । ୨୦୨୧ରେ ପୂର୍ତ୍ତ ବିଭାଗ ରାସ୍ତାର ବିକାଶ ପାଇଁ ଦେଇଥିଲା ୧୦କୋଟି , ଆରମ୍ଭ ହୋଇଥିଲା କାମ । ଲକ୍ଷ୍ୟ ଥିଲା, ୨୦୨୩ ସୁଦ୍ଧା ସରିବ । ୪ବର୍ଷ ପରେ ବି ସରିପାରି ନାହିଁ ରାସ୍ତା ନିର୍ମାଣ । ଗାଁ ଲୋକ ଦାୟୀ କରିଛନ୍ତି, ପ୍ରକଳ୍ପ ବିଳମ୍ବ ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାର ଦାୟୀ ।
ସେହି ରାସ୍ତାଟି ଅଡଶପୁର ଓ ଜଗତସିଂହପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । ଫି ଦିନ ହଜାର ହଜାର ଲୋକ ଏଇ ପଟେ ଯା' ଆସ କରିଥାନ୍ତି । ତଥାପି ରାସ୍ତା କାମ ଶେଷ ଲାଗି ସରକାରୀସ୍ତରରେ ଯେତିକି ତତ୍ପରତା ଆବଶ୍ୟକ, ସେଥିରେ ଅଭାବ ପରିଲକ୍ଷିତ ହୋଇଛି । ଯେଉଁଥିପାଇଁ ଲୋକେ ରାସ୍ତାକୁ ଓହ୍ଲାଇବା ସହିତ ବଡ଼ ଆନ୍ଦୋଳନ ପାଇଁ ଚଳାଇଛନ୍ତି ସଜବାଜ । କୌତୂହଳ କଥା ହେଲା, ବର୍ଷ ବର୍ଷ ଧରି ଦେଖି ନ ଦେଖିବା ଭଳି ରହିଥିବା ପୂର୍ତ୍ତ ବିଭାଗ ଏବେ ମୁହଁ ଖୋଲିଛନ୍ତି । ଏସ୍ଡିଓ ମନୋଜ ପ୍ରସାଦ ମିଞ୍ଜି କହିଛନ୍ତି, ବର୍ଷା ପରେ ରାସ୍ତା କାମ କରାଯିବ ।
Follow Us