କନକ ବ୍ୟୁରୋ : କଟକ ଏସ୍ସିବି ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁରରେ ମାଡ଼ । ଇଣ୍ଟର ମେଡିକାଲ କଲେଜ ମିଟ୍ରେ ଯୋଗଦେବାକୁ ଯାଇଥିବା ବେଳେ ଏମ୍କେସିଜି ମେଡିକାଲ ଛାତ୍ର ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଏ ଘଟଣା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ଏମ୍କେସିଜି ମେଡିକାଲ କଲେଜ ଡିନ୍ ।
ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଛାତ୍ରଙ୍କ ମାଡ଼ରେ ଲହୁଲୁହାଣ କଟକ ବଡ଼ ମେଡିକାଲର ଡାକ୍ତରୀ ଛାତ୍ରଛାତ୍ରୀ । ଏମ୍କେସିଜି ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ହୋଇଛି ଏ ସଂଘର୍ଷ । ସ୍ୱାଗତ ନାଁରେ ସେମାନଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍ରେ ପିଲାମାନେ ଯାଇଥିଲେ ସେ ବସ୍ ବି ଭାଙ୍ଗି ଦେଇଛନ୍ତି ଏମ୍କେସିଜି ଛାତ୍ରଛାତ୍ରୀ । ମେଡିକାଲ କଲେଜ ୩ ନମ୍ବର ହଷ୍ଟେଲ ସମ୍ମୁଖରେ ହୋଇଥିଲା ଗଣ୍ଡଗୋଳ ।
ପ୍ରତିବର୍ଷ ମେଡିକାଲ କଲେଜଗୁଡ଼ିକୁ ନେଇ ଆୟୋଜିତ ହୋଇଥାଏ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମ । ଏଥର ବ୍ରହ୍ମପୁରରେ ହେଉଥିବା ଇଣ୍ଟର ମେଡିକାଲ କଲେଜ ମିଟରେ ଯୋଗଦେବାକୁ କଟକ ବଡ଼ ମେଡିକାଲରୁ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ଅନେକ ଛାତ୍ର ଆହତ ହୋଇ ସେଠାରେ ଚିକିତ୍ସିତ ହେବା ପରେ କଟକ ଫେରିଛନ୍ତି । ଖାଲି ଏସସିବି ଛାତ୍ରଛାତ୍ରୀଙ୍କୁ ନୁହେଁ, ବୁର୍ଲା ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳ ପରେ ଖାଁ ଖାଁ ରହିଛି ଏମ୍କେସିଜି ମେଡିକାଲ ପରିସର । ଯେଉଁଠି ଉତ୍ସବ ହୋଇଥାନ୍ତି ସେଠି ଆଜି ଶୂନଶାନ୍ ପରିବେଶ ।