କନକ ବ୍ୟୁରୋ: କଟକ ନୂଆପଡ଼ାରେ ଯୁବ କ୍ରିକେଟର ସୌମ୍ୟ ରଂଜନ ଜେନାଙ୍କୁ ହତ୍ୟା ପରେ ଚର୍ଚ୍ଚାକୁ ଆସିଛି ସରକାରୀ ପ୍ରିଣ୍ଟିଂ ପ୍ରେସ୍‌ର କ୍ବାର୍ଟର। ଏଠାରେ ଥିବା ଅଧାରୁ ଅଧିକ ଘର ଦଲାଲ ଏବଂ ନିଶା ମାଫିଆଙ୍କ କବ୍‌ଜାରେ। ଶହେରୁ ଅଧିକ ଘରକୁ ବିପଦସଙ୍କୁଳ ଘୋଷଣା ହୋଇଥିଲେ ବି ବେଆଇନ ଭାବେ ଭଡ଼ାରେ ଲାଗିଛି। ଅନେକ ଘର ଫାଙ୍କା ପଡ଼ିଥିବା ବେଳେ ଅସାମାଜିକ କାର୍ଯ୍ୟ ବଢ଼ିଚାଲିଥିବା ଅଭିଯୋଗ ହୋଇଛି।.. 

Advertisment

                   ନିଶା ମାଫିଆଙ୍କ କବ୍‌ଜାରେ ସରକାରୀ କ୍ବାର୍ଟର୍ସ
                   ବିପଦସଙ୍କୁଳ ସତ୍ତ୍ବେ ଭଡ଼ାରେ ଲାଗିଛି
                   ଦେଢ଼ ଶହରୁ ଅଧିକ ଘର ଦଲାଲଙ୍କ କବ୍‌ଜାରେ
ଏ ହେଉଛି କଟକ ନୂଆପଡ଼ା ସ୍ଥିତ ପ୍ରେସ୍‌ କଲୋନି। ଯେଉଁଠାରେ ସରକାରୀ କ୍ବାର୍ଟରରେ ସୌମ୍ୟ ରଂଜନଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳି କରି କରାଯାଇଥିଲା ହତ୍ୟା   । ଇଏ ହେଉଛି ସେହି ଘର। ଏଇ ଘର ଭିତରେ ହିଁ ଘଟିଥିଲା ଗୁଳିକାଣ୍ଡ। ଏବେ ଘରେ ତାଲା ପଡ଼ିଛି । ହତ୍ୟାକାଣ୍ଡ ପରେ ପୁଲିସ ଏଠାରେ ତାଲା ପକାଇଥିଲେ ବି ଏମିତି ଆହୁରି ଅନେକ ଘର ରହିଛି, ଯାହାକୁ ମାଡ଼ି ବସିଛନ୍ତି ଦଲାଲ । ପ୍ରେସ୍‌ କଲୋନିରେ ପ୍ରାୟ ୩୦୦ କ୍ବାର୍ଟର୍ସ ରହିଛି । ଏଥି ମଧ୍ୟରୁ ୧୫୦ରୁ ଅଧିକ ଘର ଦଲାଲଙ୍କ କବ୍‌ଜାରେ । ୧୧୯ଟି ଘରକୁ ବିପଦସଙ୍କୁଳ ଘୋଷଣା ହୋଇଛି । ଏହାକୁ ଭାଙ୍ଗିବାକୁ ୨୦୨୩ରୁ ଚିଠି ହୋଇଥିଲେ ବି ମାତ୍ର ୨ଟି ଘର ଭଙ୍ଗା ପରେ କାମ ଅଟକି ରହିଛି ।

                    ସରକାରୀ କ୍ବାର୍ଟର୍ସ ନା ମାଫିଆଙ୍କ ଆଡ୍ଡାସ୍ଥଳୀ!
                    କାହା ସ୍ବାର୍ଥରେ କଟାଯାଇନି ବିଦ୍ୟୁତ୍ ଏବଂ ପାଣି ସଂଯୋଗ? 
ଘରଗୁଡ଼ିକୁ ବିପଦସଙ୍କୁଳ ଘୋଷଣା ପରେ ବି ବିଦ୍ୟୁତ୍ ଏବଂ ପାଣି ସଂଯୋଗ କଟାଯାଇନି । ଯାହା ଫଳରେ ଏହାର ଫାଇଦା ନେଇ ଦଲାଲ୍ ଘର ମାଡ଼ି ବସିବା ସହ ସେଗୁଡ଼ିକୁ ଭଡ଼ାରେ ଲଗାଉଥିବା ଅଭିଯୋଗ ହୋଇଛି । ଏ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରିଣ୍ଟିଂ ପ୍ରେସ୍ କର୍ତ୍ତୃପକ୍ଷ କହିଛନ୍ତି । ଏପଟେ ସରକାରୀ କ୍ବାର୍ଟରରେ ହତ୍ୟାକାଣ୍ଡ ପରେ ସଜାଗ ହୋଇଛି ପୁଲିସ। ସଂପୃକ୍ତ ଅଞ୍ଚଳରେ କଡ଼ା ପାଟ୍ରୋଲିଂ କରାଯିବ ବୋଲି ଡିସିପି କହିଛନ୍ତି ।