କନକ ବ୍ୟୁରୋ : ଓଡ଼ିଶା ଛୁଇଁଲା ମୌସୁମୀ । ରାଜ୍ୟରେ ଜାରି ରହିଛି ବର୍ଷା। ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପୂର୍ବରୁ ଆକଳନ କରିଛି ପାଣିପାଗ ବିଭାଗ । କିନ୍ତୁ ଏଯାଏ କଟକରେ ସରିପାରିନି ଡ୍ରେନ୍ ସଫେଇ କାମ । ସିଏମସିର ଢିଲା କାମ ପାଇଁ ଏବେ ସିଲଭରସିଟି ବାସିନ୍ଦାଙ୍କୁ ଘାରିଛି ବର୍ଷା ଭୟ । ଯଦି ବଡ଼ ବର୍ଷା ହୁଏ ତେବେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ୨୦୨୨ ଅକ୍ଟୋବରରୁ ୩ଟି ଘରୋଇ ସଂସ୍ଥାକୁ ମିଳିଥିଲା ଡ୍ରେନ୍ ସଫେଇ କାମ। ମଞ୍ଜୁଶ୍ରୀ, ଜାଗୃତି ଓ ପ୍ରତ୍ୟୁଷକୁ ମିଳିଥିଲା ଦାୟିତ୍ବ । ୩ବର୍ଷ ଧରି ଡ୍ରେନ ସଫେଇରେ ବିଫଳ ୩ ସଂସ୍ଥା। ଚଳିତ ମାସ ପ୍ରଥମ ସପ୍ତାହରେ ନିଗମର ଇଂଜିନିୟରିଂ ବିଭାଗକୁ ମିଳିଛି ଦାୟିତ୍ବ । କିନ୍ତୁ ଏପର୍ଯ୍ୟନ୍ତ ଡ୍ରେନରୁ ପଙ୍କୋଦ୍ଧାର କାମ ଶେଷ ହୋଇ ପାରିଲା ନାହିଁ।
ଡ୍ରେନ୍ ସଫେଇ କାମ ଅଧା ପଡ଼ିଥିବା ବେଳେ ଚଳିତ ବର୍ଷ ସଅଳ ଓଡ଼ିଶା ଛୁଇଁଛି ମୌସୁମୀ । ବର୍ଷା ହେଲେ ରାସ୍ତାରେ ଭାସିବ ନର୍ଦ୍ଦମା ପାଣି । ପୂର୍ବରୁ ପ୍ରତିବର୍ଷ କଟକରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ତଥାପି କଟକ ମହାନଗର ନିଗମ ଏହାକୁ ଗୁରୁତ୍ବ ନଦେବାରୁ ଅସନ୍ତୋଷ ସୃଷ୍ଟି ହୋଇଛି । ସେପଟେ ସହରର ମୁଖ୍ୟ ଡ୍ରେନରୁ ପଙ୍କ କଢ଼ା ଯାଇଥିବା କହିଛନ୍ତି ମେୟର । ପର୍ଯ୍ୟାୟ କ୍ରମେ କାମ ହେବା ସହ ଜଳବନ୍ଦୀ ସମସ୍ୟା ଯେପରି ନହେବ ସେଥିପ୍ରତି ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି ।
ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଜଳବନ୍ଦୀ ସମସ୍ୟାର ମୁକାବିଲା କରିବାରେ କଟକ ମହାନଗର ନିଗମ କେତେ ସଫଳ ହେଉଛନ୍ତି ତାହା ସମୟ କହିବ ।