କନକ ବ୍ୟୁରୋ: ପୁଲିସ-ସାମ୍ବାଦିକଙ୍କ ଅସାଧୁ ମେଣ୍ଟ । ବଳିପଡ଼ିଲେ ନିର୍ଦ୍ଦୋଶ ବ୍ୟବସାୟୀ । ପୁଲିସ ଭୟରେ ୩ ଦିନ ଥାନା ଭିତରେ ଅଟକ ରହିଲେ ଔଷଧ ବ୍ୟବସାୟୀ । ଏନେଇ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ଅଭିଯୋଗ କରିଛନ୍ତି ବ୍ୟବସାୟୀଙ୍କ ପୁଅ । କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ପ୍ରଫୁଲ୍ଲ କୁମାର ସାହୁ ଗତ ଜୁନ ମାସ ୨୪ତାରିଖ ତାଙ୍କ ମେଡିସିନ ଦୋକାନରେ ବସିଥିଲା ବେଳେ ପୁଲିସ କର୍ମୀ ଆସି ପହଞ୍ଚିଥିଲେ ଏବଂ ତାଙ୍କୁ ଭ୍ୟାନରେ ବସାଇ ଥାନାକୁ ନେଇଯାଇଥିଲେ। ଏପଟେ ତାଙ୍କ ପୁଅଙ୍କୁ ଚକମା ଦେଇଥିଲେ ଦୁଇ ସାମ୍ବାଦିକ । ମାମଲା ରଫାଦଫା କରିବାକୁ ପୁଲିସ ୫ ଲକ୍ଷ ଟଙ୍କା ମାଜଗୁଥିବା କହି ନିଜେ ଅଢ଼େଇ ଲକ୍ଷ ଟଙ୍କା ନେଇଯାଇଥିଲେ ।
ଔଷଧ ଦୋକାନୀ ପ୍ରଫୁଲ୍ଲଙ୍କ ପୁଅ ପ୍ରଦୀପ୍ତଙ୍କୁ ପୁଲିସ କୋର୍ଟ ଚାଲାଣ ଡର ଦେଖାଇ ଟଙ୍କା ଲୁଟିନେଇଥିଲେ । ଏନେଇ ପ୍ରଦୀପ୍ତ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କୁ ଅଭିଯୋଗ କରିଛନ୍ତି । ତେବେ କୌଣସି ଅଭିଯୋଗ ନଥାଇ କେଉଁ ଉଦ୍ଦେଶ୍ୟ ରଖି ବଡ଼ଚଣା ଥାନା ଅଧିକାରୀ ଏଭଳି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ୩ଦିନ ଥାନାରେ ଅଟକ ରଖିଲେ ଏବଂ ବଡ଼ଚଣା ଥାନା ଅଧିକାରୀଙ୍କ ସହିତ ନିଶ୍ଚିନ୍ତକୋଇଲିର ଦୁଇ ସାମ୍ବାଦିକଙ୍କ ସହିତ ସମ୍ପର୍କ କ‘ଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ତାଙ୍କ ପରିବାରକୁ ନ୍ୟାୟ ଦାବୀ କରିଛନ୍ତି ପ୍ରଦୀପ୍ତ ସାହୁ । ଅନ୍ୟପଟେ କୌଣସି ବ୍ୟକ୍ତିଙ୍କୁ ଗିରଫ କରିଲେ ସ୍ଥାନୀୟ ପୋଲିସକୁ ଜଣାଇବା ସହିତ ପରିବାର ଲୋକଙ୍କୁ ଜଣାଇବା ପୋଲିସର କର୍ତ୍ତବ୍ୟ। ୨୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପୋଲିସ ଥାନାରେ କାହାକୁ ଅଟକ ରଖିଲେ ସମ୍ପୃକ୍ତ ଅଧିକାରୀ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲା ଦୌରାଜଜ, କଟକର ଅବସରପ୍ରାପ୍ତ ବିଚାରପତି କୁଞ୍ଜ ବିହାରୀ ସ୍ୱାଇଁ କହିଛନ୍ତି ।