କନକ ବ୍ୟୁରୋ : ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣା ମନରୁ ଲିଭିନାହିଁ ଏବେ ଆଉଜଣେ କଲେଜ ଅଧ୍ୟାପିକାଙ୍କ ନାଁରେ ଆସିଛି ଛାତ୍ରୀଙ୍କୁ ଅସଦାଚରଣର ଅଭିଯୋଗ । ଆଞ୍ଚଳିକ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଏହି ମାମଲାର ତଦନ୍ତ କରିଛନ୍ତି । ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ବିଜ୍ଞାନ ବିଭାଗର ଛାତ୍ରୀଙ୍କୁ ଜଣେ ଅଧ୍ୟାପିକା ଦୁର୍ବ୍ୟବହାର ନେଇ ଅଭିଯୋଗ କରାଯାଇଛି । ପରୀକ୍ଷା ହଲକୁ ସାମାନ୍ୟ ବିଳମ୍ବରେ ଆସିବା କାରଣରୁ ଅଧ୍ୟାପିକା ଜଣକ ଛାତ୍ରୀ ଜଣକୁ ଖରାପ ବ୍ୟବହାର କରିବା ସହ ଶ୍ରେଣୀଗୃହରୁ ବାହାର କରିଦେଇଥିଲେ । ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ । ସମ୍ବଲପୁର ଆଞ୍ଚଳିକ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ତଦନ୍ତ କରିବା ପରେ ଏହାର ସମାଧାନ ହୋଇଥିବା ଜଣାପଡ଼ିଛି । 

Advertisment

ସେହିପରି ଜଗତସିଂହପୁର କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ମଧ୍ୟ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଅଧ୍ୟାପକଙ୍କ ଦ୍ୱାରା ଜଣେ ଛାତ୍ରୀ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ସମାଧାନ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ କଲେଜ ଅଧ୍ୟକ୍ଷ ଓ ସମ୍ପୃକ୍ତ ଅଧ୍ୟାପକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଗତ ଜାନୁଆରୀ ମାସ ୧୫ ତାରିଖରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଜଣେ ଛାତ୍ରୀଙ୍କୁ ଗଣିତ ବିଭାଗର ଅଧ୍ୟାପକ ଶାଶ୍ବତ ମହାନ୍ତି ଦୁର୍ବ୍ୟବହାର କରିଥିବା ନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଏନେଇ ଏକ କମିଟି ଗଠନ କରାଯାଇ ଏପ୍ରିଲ ୫ ତାରିଖରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯାଇଥିଲା । ବାଲେଶ୍ବର ପ୍ରସଙ୍ଗ ସାମ୍ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେତେକ କ୍ଷେତ୍ରରେ ଏଭଳି ଅପପ୍ରଚାର ଯୋଗୁଁ କଲେଜର ସୁନାମ ହାନି ହେବା ସହିତ ଗୁରୁ ଶିଷ୍ୟ ସମ୍ପର୍କ ମଧ୍ୟ କଳୂଷିତ ହେଉଛି ବୋଲି କହିଛନ୍ତି ।

ଗତ ୨୦୨୪ ମସିହା ଅକ୍ଟୋବର ମାସରେ ବାରିପଦା ସ୍ଥିତ ମହିଳା ମହାବିଦ୍ୟାଳୟରେ ଘଟିଥିବା ଛାତ୍ରୀ ଦୁର୍ବ୍ୟବହାର ଘଟଣାରେ ସ୍ପଷ୍ଟୀକରଣ ରଖିଲେ କଲେଜ ଅଧ୍ୟକ୍ଷା । ସେ ସମୟରେ କଲେଜର ପଦାର୍ଥ ବିଭାଗର ଜଣେ ଅଧ୍ୟାପକ କ୍ଳାସ୍ ସମୟରେ ଜଣେ ଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏକାଧିକ ଛାତ୍ରୀଙ୍କ ଅଭିଯୋଗ ଆଧାରରେ କଲେଜ ଅଧ୍ୟକ୍ଷା ଏହାକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହାର ତଦନ୍ତ କରାଇଥିଲେ। ସ୍ଥାନୀୟ ପୁଲିସ ଷ୍ଟେସନକୁ ମଧ୍ୟ ଏହି ମାମଲା ଯାଇଥିଲା । ସମ୍ପୃକ୍ତ ଅଧ୍ୟାପକଙ୍କୁ ତୁରନ୍ତ ବଦଳି ପାଇଁ ସୁପାରିଶ କରିଥିଲେ କଲେଜ ଅଧ୍ୟକ୍ଷା । ସମ୍ପୃକ୍ତ ଅଧ୍ୟାପକ ଜଣକ ବର୍ତ୍ତମାନ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ । ତେବେ ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓ ତାଙ୍କ ଅନୁରୋଧ କ୍ରମେ ମାମଲାକୁ ଆଉ ଆଗକୁ ବଢ଼ାଯାଇନଥିଲା । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷା ।