କନକ ବ୍ୟୁରୋ : ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି କଟକ ବନ୍ଦ ଡାକରା । ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା । ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୩୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍ । ଅପ୍ରିତୀକର ତଥା ହିଂସାତ୍ମକ ପରିସ୍ଥିତି ଏଡ଼ାଇବାକୁ ସଜାଗ ହୋଇରହିଛି କମିସନରେଟ ପୋଲିସ୍ । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି ।

Advertisment

ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି । ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା । ସେଠାରେ ପୁଲିସ ଓ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଶୋଭାଯାତ୍ରାକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ । ଶୋଭାଯାତ୍ରା ଦରଘାବଜାରରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଦରଘାବଜାରଠାରୁ ସିଟି ହସ୍ପିଟାଲ ଓ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା । ଏହି ଘଟଣାରେ ଅନେକ ଦୋକାନ ଭଙ୍ଗାରୁଜା ହେବା ସହିତ ରାସ୍ତାକଡ଼ର ଠେଲାଗାଡ଼ି ଓ କ୍ୟାବିନ୍‌ ଜଳି ଯାଇଛି , ଏକାଧିକ କାର୍‌ ମଧ୍ୟ ଭାଙ୍ଗିଛି । ଘଟଣାକୁ ନେଇ ସ୍ଥିତି ଅନୁଧ୍ୟାନ କରିବା ସହ ଦୋଷୀଙ୍କୁ ଛଡ଼ାଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଲିସ୍ ଡିଜି ୱାଇବି ଖୁରାନିଆ  ।