‘ସେ ନାକକାନ୍ଦୁରୀଟା , ଟିକେ ଟିକେ କଥାରେ କାନ୍ଦେ । ଆରେ ପୁଅପିଲା ପରା ଝିଅଙ୍କ ପରି କାନ୍ଦୁଛୁ କ’ଣ? ଦେଖ କିଛି କଥା ନାହିଁ ଆରମ୍ଭ ହୋଇଗଲା ୟାର ଗଙ୍ଗା , ଯମୁନା ।’ ଏ ଚିରାଚରିତ ଶବ୍ଦ କାହିଁ କେଉଁ କାଳରୁ ସମାଜ କହିଆସୁଛି । ଅତ୍ୟନ୍ତ ସମ୍ବେଦନଶୀଳ ମଣିଷଟିଏ ଏକଥା ଶୁଣିବା ପ୍ରାୟତଃ ସାଧାରଣ କଥା । ଯେତେବେଳେ ଜଣେ କାନ୍ଦେ ତୁ କ’ଣ ଦୁର୍ବଳ କି ପ୍ରଶ୍ନ କରି ବାହାରିଆସୁଥିବା ଲୁହକୁ ସମାଜ ରୋକିଦେବାକୁ ଚେଷ୍ଟା କରେ । କିନ୍ତୁ ଆଜ୍ଞା କାନ୍ଦିବା ଦୁର୍ବଳର ପରିଚୟ ନୁହଁ ବରଂ ମନ ଭିତରର ସମ୍ବେଦନକୁ ବାହାର କରିବା ଏବଂ ମାନସିକ ସନ୍ତୁଳନକୁ ଠିକ୍ ରଖିବାର ଏକ ପ୍ରାକୃତିକ ପ୍ରୋସେସ୍ । ଯାହା ଆଭ୍ୟନ୍ତରରୁ ମଣିଷକୁ ଶାନ୍ତ ରଖିବାର କାମ କରେ । ଡାକ୍ତରଙ୍କଠାରୁ ଶୁଣିଥିବେ,ମନଖୋଲା ହସ,ଶରୀର ସୁସ୍ଥ । ଖାଲି ହସ ପାଇଁ ଲାଫିଙ୍ଗ୍ କ୍ଲବର ମଧ୍ୟ ଉଦ୍ଭାବନ ହୋଇଛି । ଯେଉଁଠି ଆପଣ ମନଭରି ହସିବେ ଆଉ ସୁସ୍ଥ ରହିବେ । ହେଲେ ମନଭରି କାନ୍ଦିବାର ମଧ୍ୟ ଅନେକ ଲାଭ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ଯେ କେବଳ ମନଖୋଲି କାନ୍ଦିବା ଦ୍ବାରା ଶରୀରର କେଉଁ କେଉଁ ସମସ୍ୟାରେ ପରିବର୍ତ୍ତନ ଦେଖାଯାଏ ।
ହେଲ୍ଥଲାଇନର ଏକ ରିପୋର୍ଟ ମୁତାବକ , ଲୁହ ୩ ପ୍ରକାରର ହୋଇଥାଏ । ପ୍ରଥମଟି ହେଉଛି ରିଫଲେକ୍ସ ଟିୟର୍ , ଯାହା ଆଖିରେ ଜମିଥିବା ଧୂଳି ଏବଂ ମଇଳାକୁ ବାହାର କରିବାର କାମ କରେ । ଦ୍ବିତୀୟଟି ହେଉଛି କଣ୍ଟିନ୍ୟୁଅସ୍ ଟିୟର୍ , ଯାହା ଆଖିକୁ କୌଣସି ସଂକ୍ରମଣରୁ ବଞ୍ଚାଇବାର କାମ କରେ । ତୃତୀୟଟି ହେଉଛି ଇମୋସନାଲ୍ ଟିୟର୍ , ଯାହା ଶରୀରକୁ ଅନେକ ପ୍ରକାର ଫାଇଦା ପହଞ୍ଚାଇଥାଏ । କଣ୍ଟିନ୍ୟୁଅସ୍ ଟିୟରରେ ଯେଉଁଠି ୯୮ % ପାଣି ମିଳିଥାଏ । ସେଠାରେ ଇମୋସନାଲ୍ ଟିୟରରେ ଷ୍ଟ୍ରେସ୍ ହର୍ମୋନ୍ସ ଏବଂ ଅନେକ ପ୍ରକାର ଟକ୍ସିକ୍ ଇମୋସନ୍ ବାହାରକୁ ବାହାରି ଆସିଥାଏ ।
ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଯେତେବେଳେ ଆମେ କାନ୍ଦୁ ଆମର ପାରାସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍ ସକ୍ରିୟ ହୋଇଯାଏ । ଯାହାଦ୍ବାରା ଶରୀର ହାଲକା ଅନୁଭବ କରେ ଏବଂ ହଜମ ପ୍ରକ୍ରିୟା ମଧ୍ୟ ଭଲ ହୁଏ । ଯାହାଦ୍ବାରା ପୂର୍ବାପେକ୍ଷା ଶରୀରକୁ ଫୁର୍ତ୍ତିବାନ୍ ମଧ୍ୟ ଅନୁଭବ ହୁଏ । କାନ୍ଦିବା ଦ୍ବାରା ଶରୀରରୁ ଏଣ୍ଡୋରଫିନ୍ ହର୍ମୋନ୍ ବାହାରିଥାଏ ଯାହା ଯନ୍ତ୍ରଣାକୁ କମାଇବାର କାମ କରେ । ଉଭୟ ଫିଜିକାଲ୍ ଏବଂ ଇମୋସନାଲ୍ ପୀଡ଼ାକୁ କମ୍ କରିବାର କାମ କରେ ଏଣ୍ଡୋରଫିନ୍ ହର୍ମୋନ୍ । ତେଣୁ କାନ୍ଦିବାରେ କଞ୍ଜୁସୀ ନ କରି ମନଖୋଲି କାନ୍ଦନ୍ତୁ ।
ଯଦି ଆପଣ ଲମ୍ବା ସମୟ ଧରି କୌଣସି ଦୁଃଖକୁ ମନରେ ମାରି କାନ୍ଦୁନାହାନ୍ତି ତାହେଲେ ଏହାର ପ୍ରଭାବ ଆପଣଙ୍କ ମାନସିକ ସ୍ବାସ୍ଥ୍ୟକୁ ବିଗାଡ଼ିବାର ସାମର୍ଥ୍ୟ ରଖେ । ଅନ୍ୟପକ୍ଷରେ ଯଦି ଆପଣ ମନଖୋଲି ଭରପୂର କାନ୍ଦୁଛନ୍ତି ତାହେଲେ ମାନସିକ ସ୍ତରରେ ଆରାମ୍ ପାଇବେ । ଚାପକୁ କମାଇବାର କାମ କରେ କାନ୍ଦ । କାନ୍ଦିବା ଦ୍ବାରା କେବଳ ରିଲାକ୍ସ ଅନୁଭବ ହୁଏନି ବରଂ ଜୀବନରେ ଆଗକୁ ବଢିବା ପାଇଁ ମଧ୍ୟ ବୁଷ୍ଟ୍ ମିଳେ । ମଣିଷର ମୁଡ୍ ଆପେ ଆପେ ଠିକ୍ ହୁଏ ଏବଂ ଭାଙ୍ଗିପଡ଼ିଥିବା ମଣିଷଟି ଜୀବନରେ ସଳଖିବାର ସାହସ ଜୁଟାଇଥାଏ ।
ଗବେଷଣାରୁ ଜାଣିବାକୁ ମିଳିଛି ଯେ , ଯେଉଁ ପିଲାମାନେ ଅଧିକ କାନ୍ଦନ୍ତି ତାଙ୍କୁ ନିଦ ମଧ୍ୟ ଭଲ ହୁଏ । ଆଉ ଭଲ ନିଦ ଦ୍ବାରା ଶରୀରର ଅନେକ ସମସ୍ୟାର ସମାଧାନ ହୋଇଥାଏ । ଯେମିତିକି ଥକ୍କାପଣ , ମୁଣ୍ଡବ୍ୟଥା ଇତ୍ୟାଦି । ମନଖୋଲା କାନ୍ଦ ମସ୍ତିଷ୍କକୁ ଶାନ୍ତ ରଖେ ଏବଂ ଯନ୍ତ୍ରଣାକୁ କମାଇବାରେ ମଧ୍ୟ ସହାୟକ ହୁଏ । ତେବେ ଆଗକୁ ଯଦି କେହି କାନ୍ଦିଲାବେଳେ ରୋକନ୍ତି ତାହେଲେ ତାଙ୍କୁ କୁହନ୍ତି ଚାଲ ମିଶିକରି କାନ୍ଦିବା ଆଉ ସୁସ୍ଥ ରହିବା । କାନ୍ଦ ଦୁର୍ବଳର ପରିଚୟ ନୁହଁ , ଯଦି ମନଖୋଲା କାନ୍ଦ ମସ୍ତିଷ୍କକୁ ସୁସ୍ଥ ରଖୁଛି ତାହେଲେ କାନ୍ଦିବାରେ କଞ୍ଜୁସୀ କାହିଁକି?