କନକ ବ୍ୟୁରୋ: ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ସିଆର୍‌ପିଏଫ୍‌ ର ଜଣେ ଯବାନ ନିଜ ମହିଳା ବନ୍ଧୁ, ଯିଏକି ଦିଲ୍ଲୀ ପୁଲିସରେ ସହକାରୀ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।  ତାଙ୍କୁ ଗଳା ଚିପି ହତ୍ୟା କରିଛନ୍ତି ।  ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଯବାନ ଜଣକ ନିଜେ ଦାବ୍ରି ପୋଲିସ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି ।  

Advertisment

ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ CRPF ଯବାନଙ୍କ ନାମ ରୋହିତ କୁମାର । ସେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ASI ନରେଶ କୁମାରୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ରୋହିତ ନିଜେ ଶୁକ୍ରବାର ସକାଳେ ଥାନାକୁ ଆସି କହିଥିଲେ ଯେ ସେ ଜଣେ ମହିଳା ପୁଲିସକର୍ମୀଙ୍କୁ ହତ୍ୟା କରିଛନ୍ତି । 

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ରୋହିତ ଏବଂ ନରେଶଙ୍କ ମଧ୍ୟରେ ଦୀର୍ଘ ଦିନ ଧରି  ପ୍ରେମ ସମ୍ପର୍କ ଥିଲା । ତେବେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଲାଗି ରହିଥିଲା । ଅଭିଯୁକ୍ତ ରୋହିତଙ୍କ ସନ୍ଦେହ ଥିଲା ଯେ ମହିଳା ASI ଜଣକ ଅନ୍ୟ କାହା ସହ ସମ୍ପର୍କରେ ଅଛନ୍ତି । ଏହି ସନ୍ଦେହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ଉତ୍‌କ୍ଷିପ୍ତ ହୋଇ ରୋହିତ ଏହି ଚରମ ପଦକ୍ଷେପ ନେଇଥିଲେ ।  
ଘଟଣାଟି ଦ୍ୱାରକା ଅଞ୍ଚଳର ଏକ ଫ୍ଲାଟରେ ଘଟିଥିଲା । ହତ୍ୟାକାଣ୍ଡ ପରେ ରୋହିତ ସିଧାସଳଖ ଦାବ୍ରି ଥାନାରେ ପହଞ୍ଚିଥିଲେ ଏବଂ ନିଜ ଅପରାଧ ସ୍ୱୀକାର କରିଥିଲେ । ତାଙ୍କ ସୂଚନା ଆଧାରରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା  ।