କନକ ବ୍ୟୁରୋ: ବିଦେଶାଗତ ପକ୍ଷୀକୁ ଦେଖିବାକୁ ମଙ୍ଗଳାଯୋଡି ପକ୍ଷୀ ବିହାରରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼। ଭିନ୍ନଭିନ୍ନ ବିହଙ୍ଗଙ୍କ କାକଳିରେ ସୌନ୍ଦର୍ଯ୍ୟପୂର୍ଣ୍ଣ ପକ୍ଷୀ ବିହାର। ଚିଲିକାକୁ ଆସିଲେଣି ଦେଶ ବିଦେଶର ୪ଲକ୍ଷରୁ ଅଧିକ ପକ୍ଷୀ। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଶୀତର ପ୍ରକୋପ ଯୋଗୁଁ ବିଗତ ବର୍ଷମାନଙ୍କ ତୁଳନାରେ ପକ୍ଷୀ ସଂଖ୍ୟା କମିଥିବା ପରିଲକ୍ଷିତ ହେଉଛି। ଅନ୍ୟପଟେ ପକ୍ଷୀ ଶିକାର ରୋକିବାକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଛି ସମସ୍ତ ପ୍ରକାର ପ୍ରସ୍ତୁତି।
ଚିଲିକା ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ। ଏହାର ଆଉ ଏକ ସୌନ୍ଦର୍ଯ୍ୟ ମଙ୍ଗଳାଯୋଡି ଓ ନଳବଣ ପକ୍ଷୀ ଅଭୟାରଣ୍ୟ। ଶୀତର ପହିଲି ସ୍ପର୍ଶରେ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସିଛନ୍ତି ରଙ୍ଗବେରଙ୍ଗର ପକ୍ଷୀ। ଡ଼ିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚିଲିକାକୁ ୪ଲକ୍ଷ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ଯାହା ପୂର୍ବ ବର୍ଷମାନଙ୍କ ଅପେକ୍ଷା କମ୍। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଶୀତର ପ୍ରକୋପ ହ୍ରାସ ଯୋଗୁଁ ପକ୍ଷୀଙ୍କ ଆଗମନରେ ବିଳମ୍ୱ ହେଉଥିବା ପରିଲକ୍ଷିତ ହେଉଛି।
ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ମଙ୍ଗଳାଯୋଡ଼ିରେ ପର୍ଯ୍ୟଟକମାନେ ଭିଡ ଜମାଉଛନ୍ତି। ସ୍ଥାନୀୟ ଅଞ୍ଚଳର ଗାଇଡ଼ ଓ ଫଟୋଗ୍ରାଫର ପର୍ଯ୍ୟଟକଙ୍କ ସହ ଡଙ୍ଗାରେ ଯାଇ ସେମାନଙ୍କୁ ଦେଖାଉଛନ୍ତି। ଚିଲିକାର ସୌନ୍ଦର୍ଯ୍ୟ ସମ୍ପର୍କରେ ବୁଝାଉଛନ୍ତି। ଏଥିପାଇଁ ପର୍ଯ୍ୟଟକଙ୍କ ଠାରୁ କିଛି ପାଉଣା ପାଇଥାନ୍ତି। ତେବେ ପର୍ଯ୍ୟଟନ ଋତୁ ୪ମାସ ସେମାନେ ଯାହା ଦୁଇ ପଇସା ରୋଜଗାର କରିଥାନ୍ତି।
ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଅସ୍ଥାୟୀ କ୍ୟାମ୍ପ କରାଯାଇ ଶିକାରୀଙ୍କ ଉପରେ ନଜର ରଖିଛନ୍ତି ବନ କର୍ମଚାରୀ ।