କନକ ବ୍ୟୁରୋ: ୩ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି ଡ୍ରାଇଭର । ପ୍ରଭାବରେ ହଇରାଣ ହେଉଛନ୍ତି ସାଧାରଣ ଲୋକ। ଗତକାଲି ପେଟ୍ରୋଲ ଅଭାବ ଆଶଙ୍କା ପାଇଁ ଟାଙ୍କିରେ ଲମ୍ବା ଲାଇନ ଲାଗିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ ସ୍ଥିତି ଆଜି ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ପେଟ୍ରୋଲିୟମ ଡିଲର ସଂଘ ସହ ବୈଠକ କରିବା ପରେ ପେଟ୍ରୋଲ ଅଭାବ ନଥିବା ନେଇ ଆଶ୍ବସ୍ତ କରିଛନ୍ତି ଯୋଗାଣ ମନ୍ତ୍ରୀ । ସଂଘ ମଧ୍ୟ କହିଛି, ଏବେ ଯଥେଷ୍ଟ ପେଟ୍ରୋଲ ମହଜୁଦ ଅଛି । ଲୋକ ଭୟଭୀତ ହୁଅନ୍ତୁନି । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗ ୧୨ ମାସିଆ କମିଟି କରୁ ବୋଲି କହିଛି ସଂଘ ।
ଡ୍ରାଇଭର ଆନ୍ଦୋଳନର ପ୍ରଭାବ ସିଧାସଳଖ ହାଣ୍ଡିଶାଳରେ ପଡିଲାଣି । ଲମ୍ବା ଧାଡିରେ ସିଲିଣ୍ଡର ବୋଝେଇ ଗାଡି ଛିଡା ହୋଇଛି । କିନ୍ତୁ ୩ ଦିନ ହେବ ଆଗକୁ ବଢୁନି । ଗ୍ୟାସ୍ ପାଇଁ ବୁକିଂ ହେଉଛି, କିନ୍ତୁ ହିତାଧିକାରୀଙ୍କ ଠିକଣାରେ ପହଞ୍ଚି ପାରୁନି ଗାଡି। ଡ୍ରାଇଭର ଆସୁନଥିବାରୁ ଏଲପିଜି ଡିପୋରୁ ମଧ୍ୟ ଗାଡି ଆସୁନି । ଗ୍ୟାସ୍ ସଙ୍କଟ ପାଇଁ କେଉଁଠି ରୋଷେଇ ବନ୍ଦ ହେଲାଣି ତ ପୁଣି କେଉଁଠି ହୋଟେଲରେ ପଡିଲାଣି ତାଲା । ଉପଭୋକ୍ତା ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି ଦାବି କରିଛି ବିତରକ ସଂସ୍ଥା । ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନାରୁ ଏଯାଏଁ କୌଣସି ନିଷ୍କର୍ଷ ବାହାରିନି । ସରକାର ପେଟ୍ରୋଲ ଭଳି ଏଲପିଜି ପାଇଁ ଆଗୁଆ ପଦକ୍ଷେପ ନନେଲେ ଆଗକୁ ଉତ୍କଟ ସ୍ଥିତି ଦେଖିବାକୁ ମିଳିପାରେ ।