କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣ୍ୟ ହୋଇପଡିଛି । ସଂକଳ୍ପ ପରେ ବାଲୁକା ପୂଜା କରି ହବିଷ୍ୟାଳି ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ । ମଠବାଡିରୁ ଆରମ୍ଭ କରି ଶିବିର ସବୁଠି ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ପରିବେଶ । ସକାଳୁ ସକାଳୁ ହବିଷ୍ୟାଳି ମାନେ ନରେନ୍ଦ୍ର ପୁଷ୍କରିଣୀ ଆଉ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବୃନ୍ଦାବତୀ ମୂଳରେ ପୂଜନ ସହିତ ବ୍ରତ ବାନ୍ଧିଛନ୍ତି । ସରକାରୀ ଶିବିରରେ ଅବସ୍ଥାନ କରୁଥିବା ହବିଷ୍ୟାଳି ମାନଙ୍କୁ ସ୍ୱତନ୍ତ୍ର ବସ୍‌ ଯୋଗେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଛି । ଏଥର ସରକାରଙ୍କ ପକ୍ଷରୁ ଚାରିଟି ହବିଷ୍ୟାଳି ଶିବିର ଖୋଲାଯାଇଛି । ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ ସହ ରେଳ ବିଭାଗର ଟୁରିଷ୍ଟ କମ୍ପ୍ଲେକ୍ସ, ବଗଲା,  ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ପଞ୍ଜୀକୃତ ୨୬ଶହରୁ ଅଧିକ ହବିଷ୍ୟାଳି ରହି ବ୍ରତ ରଖିଛନ୍ତି ।  ଅନ୍ୟପଟେ ଅନେକ ଅଣ ପଞ୍ଜୀକୃତ ହବିଷ୍ୟାଳିଙ୍କୁ ବି ପଞ୍ଜୀକରଣ କରାଇ ବିଭିନ୍ନ ଶିବିରରେ ରଖାଯାଇଛି । 

Advertisment

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରି ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଗଲେ ସ୍ଵତନ୍ତ୍ର ଧାଡି ରେ ଯିବା ସହ ଶ୍ରୀ ମନ୍ଦିର ଭିତରେ ଘଣ୍ଟି ଦ୍ୱାର ପଟେ ଯାଇ ଦର୍ଶନ କରିଛନ୍ତି। ପୁରୀରେ ହବିଷ୍ୟାଳି ଶିବିରକୁ  ଉଦଘାଟନ କରିଛନ୍ତି  ଆଇନ ମନ୍ତ୍ରୀ । କାର୍ତ୍ତିକ ମାସ ସାରା ପୁରୀରେ ଭକ୍ତଙ୍କ ଭିଡ଼ ରହିବ । ତେଣୁ ଭିଡ଼ ନିୟନ୍ତ୍ରଣ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।