କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆଧାର ସହ ମୋବାଇଲ ନମ୍ବରକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଯାହା ପରେ ଆଧାର ସଂଶୋଧନ ପାଇଁ ବିଭିନ୍ନ କେନ୍ଦ୍ରରେ ଲାଗୁଛି ଅସମ୍ଭାଳ ଭିଡ଼। କେଉଁଠି ଲମ୍ବା ଲାଇନ୍ ଠେଲାପେଲା ଭଳି ପରିସ୍ଥିତି ଉପୁଜିଥିବା ବେଳେ କେଉଁଠି ଆଧାର କେନ୍ଦ୍ର ବନ୍ଦ ଯୋଗୁଁ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି। ଏହାରି ଭିତରେ ଧାଡ଼ିରେ ଛିଡ଼ା ନହୋଇ ଲାଇନରେ ଜୋତା ରଖିଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ଢେଙ୍କାନାଳ ଜିଲ୍ଲା ଭୁବନ ବିଡିଓ କାର୍ଯ୍ୟାଳୟ ପରିସର ସକାଳର ସୂର୍ଯ୍ୟ ଉଦୟ ନହେଉଣୁ ଜମିଲାଣି ଭିଡ଼। ଏସବୁ ଭିତରେ ଲୋକେ ଧାଡ଼ିରେ ଛିଡ଼ା ନହୋଇ ନିଜ ଜୋତା ରଖିଥିବା ଦେଖିବାକୁ ମିଳିଛି। ଯାହା ଜୋତା ଆଗରେ, ସିଏ ପ୍ରଥମେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବ। ଏସବୁ କେବଳ ଆଧାର ଅପଡେଟ ପାଇଁ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ବାଧ୍ୟତାମୂଳକ କରିଛନ୍ତି ସରକାର। ତେଣୁ ମହିଳାମାନେ ଏବେ ଆଧାରରେ ସଂଶୋଧନ ପାଇଁ ଏଭଳି ଲମ୍ବା ଲାଇନ୍ ଲଗାଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ସାମ୍ନାକୁ ଆସିଛି। ଯାଜପୁର ମୁଖ୍ୟ ଡାକଘର ଆଗରେ କୁନି କୁନି ପିଲାଙ୍କୁ ଧରି ଲମ୍ବା ଲାଇନ ଲଗାଇଥିଲେ ମହିଳା। ଲମ୍ବା ଧାଡ଼ି ଯୋଗୁଁ ଠେଲାପେଲା ଭଳି ପରିସ୍ଥିତି ଉପୁଜିଥିଲା। ଏପରି ସ୍ଥିତିରେ ପ୍ରତି ପଞ୍ଚାୟତରେ ଆଧାର ସଂଶୋଧନ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡାରେ ଦୁଇଦିନ ଆଧାର ସେଣ୍ଟର ବନ୍ଦ ରହିବାରୁ ନାହିଁ ନଥିବା ସମସ୍ୟାର ସାମ୍ନା କରିଛନ୍ତି ମହିଳା। 

ବାଲେଶ୍ୱରରେ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଭଦ୍ରା ଫର୍ମ ପାଇଁ ଅସମ୍ଭାଳ ଭିଡ଼। ଫର୍ମ ନେଉଥିବା ମହିଳାଙ୍କର ନାଁ, ଆଧାର ନମ୍ବର ଏବଂ ଫୋନ ନମ୍ବର ରେଜିଷ୍ଟରରେ ଉଲ୍ଲେଖ କରାଯାଉଛି। ଏହାସହ ଏଜେଣ୍ଟମାନେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ କେମିତି ଆବେଦନ କରିବେ, ସେ ସମ୍ପର୍କରେ ସବିଶେଷ ସୂଚନା ଦେଉଛନ୍ତି।