କନକ ବ୍ୟୁରୋ : ଭିତରକନିକା ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ। ଭିତରକନିକାର ପ୍ରାକୃତିକ ପର୍ଯ୍ୟଟନକୁ ବାଦ୍ ଦେଇ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ କଥା ଚିନ୍ତା କରାଯାଇ ନପାରେ । ଓଡ଼ିଶାର ଅନ୍ୟ ପର୍ଯ୍ୟଟନସ୍ଥଳୀ ତୁଳନାରେ ଭିତରକନିକାର ବିକାଶ ସେପରି ହୋଇପାରିନି । ସତେ ଯେମିତି ଭିତରକନିକାର ବିକାଶ ପ୍ରତି କାହାର ଆନ୍ତରିକତା ନାହିଁ। ଭିତରକନିକାର ବିକାଶ ପାଇଁ ୫୮ କୋଟି ଟଙ୍କା ଘୋଷଣା କରିଥିଲେ ସରକାର। ହେଲେ ଆଜି ଯାଏଁ କାମ ଆରମ୍ଭ ହୋଇନି।
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପ୍ରକୃତି ଓ ପରିବେଶ ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ମିନି ଆମାଜନ। ଦୁଇପଟେ ନିଘଞ୍ଚ ଜଙ୍ଗଲ ମଝିରେ ଜଳଯାତ୍ରା, ବଉଳା କୁମ୍ଭୀରଙ୍କ ଚଳପ୍ରଚଳ, ଦେଶୀ ଓ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ବିମୋହିତ କରେ । ଏହି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଘୋଷଣା କରିଥିଲେ ରାଜ୍ୟ ସରକାର ।
୨୦୨୩ ମସିହାରେ ଏହି ପ୍ରକଳ୍ପ ଗୁଡ଼ିକର ଥ୍ରୀଡି ଚିତ୍ରକୁ ସୋସିଆଲ ମିଡିଆରେ ଛାଡ଼ିଥିଲା ଜିଲ୍ଲା ପ୍ରଶାସନ। ପ୍ରକଳ୍ପଟି କିପରି ଓ କେଉଁ ଶୈଳୀରେ ନିର୍ମାଣ ହେବ ତାର ଚିତ୍ର ଦେଖି ସବୁ ମହଲରେ ଏହାକୁ ପ୍ରଶଂସା କରାଯାଇଥିଲା । ହେଲେ ବାସ୍ତବରେ ଆଜିଯାଏଁ ପ୍ରକଳ୍ପ ପାଇଁ ମାଟି ମୁଠାଏ ପଡ଼ିନି ।
ସରକାର ବ୍ୟୟବରାଦ କରିଥିବା ଟଙ୍କା କୁଆଡ଼େ ଗଲା ? ତା’ ଉତ୍ତର କାହା ପାଖରେ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ କଥା କହୁଛନ୍ତି। ଭିତରକନିକା ରାଜ୍ୟର ଶୋଭା ବଢ଼ାଉଛି ।
୮୨% ଲୁଣା ଜଙ୍ଗଲ ଭିତରକନିକାରେ ରହିଛି । ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ହେଲେ ଏହାର ଉନ୍ନତୀକରଣ ପାଇଁ ଯେମିତି କାହାରି ନିଘା ନାହିଁ । ଆସିଥିବା ପ୍ରକଳ୍ପ କେମିତି କାର୍ଯ୍ୟକାରୀ ହେବ ସେଥିପ୍ରତି ବି ନଜର ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏ ଘଟଣାର ତଦନ୍ତ କରାଯିବା ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।