କନକ ବ୍ୟୁରୋ: ଖଣି ପ୍ରଭାବିତ ଝାରସୁଗୁଡ଼ା ଜିଲ୍ଲାରୁ ପ୍ରଶାସନ ଶହ ଶହ କୋଟି ଟଙ୍କାର ରାଜସ୍ୱ ଆୟ କରୁଛି । ଖଣିଗୁଡ଼ିକରୁ ଆଦାୟ ହୋଇ ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ଜମା ହେଉଥିବା ଏହି ଟଙ୍କା ଖଣି ପ୍ରଭାବିତ ଲୋକଙ୍କ ପାଇଁ ଖର୍ଚ୍ଚ ବି ହେଉଛି । କିନ୍ତୁ ଏହି ଟଙ୍କା କେଉଁଠି ଖର୍ଚ୍ଚ ହେଲା ଲୋକେ ତାହାର ହିସାବ ପାଇପାରୁନଥିବା ବେଳେ ଲୋକଙ୍କ ଜୀବନଶୈଳୀ ଯେଉଁଠିକୁ ସେଇଠି ରହିଯାଇଛି । ଗତ ୫ ବର୍ଷରେ ଝାରସୁଗୁଡା ଜିଲ୍ଲାରେ ପାଖାପାଖି ୮୬୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ତଥ୍ୟ କହୁଛି । ତେବେ ଏତେ ଗୁଡିଏ ଟଙ୍କା କେଉଁଠି ଖର୍ଚ୍ଚ ହେଲା ତାକୁ ନେଇ ଉଠୁଛି ପ୍ରଶ୍ନ ।

Advertisment

ଖଣି ପ୍ରଭାବିତ ଅଂଚଳରେ ଜିଲ୍ଲାର ଉନ୍ନତି ପାଇଁ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠା କରାଯାଇଥିଲା । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠା ପରେ ସ୍ଥାନୀୟ ଅଂଚଳର ଉନ୍ନତି ହେବ ବୋଲି ଆଶା କରାଯାଇଥିଲା । ତେବେ ଜିଲ୍ଲା ଖଣିଜ ପାଣ୍ଠି ବର୍ତ୍ତମାନ ବାଟମାରଣା ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୫ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୬୧ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । 

ଯାହା ବର୍ଷକୁ ହାରାହାରି ୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡିଛି । କନକ ନ୍ୟୁଜକୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲା ଖଣିଜ ପାଣ୍ଠିରୁ ମୋଟା ଅଂଶ କୋଭିଡ ହସ୍ପିଟାଲ ନିର୍ମାଣ ଓ ସ୍ୱାସ୍ଥ୍ୟ ସେବା ଭିତ୍ତି ଭୂମିରେ ଖର୍ଚ୍ଚ କରାଯାଇଛି । ସେହିପରି ବୃକ୍ଷରୋପଣ, ଜିଲ୍ଲାରେ ନୂତନ ଶ୍ରେଣୀ ଗୃହ ନିର୍ମାଣ, ପୋଖରୀ ଖନନ ଓ ତାର ପୁନଃ ଉଦ୍ଧାର ପାଇଁ ଖର୍ଚ୍ଚ ହୋଇଛି । ସେହିପରି ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାହା ମଧ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି ।

ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦-୨୧ ମସିହାରେ ଝାରସୁଗୁଡ଼ା ଜିଲ୍ଲାରେ ୨୬୩.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୧-୨୨ ମସିହାରେ ୧୯୭.୯୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୨୨-୨୩ ମସିହାରେ ୧୩୭.୪୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୨୩-୨୪ ମସିହାରେ ୨୨୨.୩୭ କୋଟି ଟଙ୍କା ଓ ୨୦୨୪-୨୫ ମସିହା ଜାନୁଆରୀ ମାସ ଯାଏଁ ୪୦.୬୭ କୋଟି ଟଙ୍କା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଖର୍ଚ୍ଚ ହୋଇଛି । କେବଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଛାଡିଦେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଶହେ କୋଟିରୁ ଅଧିକ ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଝାରସୁଗୁଡାବାସୀ ମୌଳିକ ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବା ବାରମ୍ବାର ଅଭିଯୋଗ ହେଉଛି । ଏମିତିକି ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବେଡ ନଥିବାରୁ ବାରମ୍ବାର ବୁର୍ଲାକୁ ରୋଗୀ ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳିଛି ।

ତେବେ ପୂର୍ବରୁ କନକ ନ୍ୟୁଜରେ ଜିଲ୍ଲା ଖଣିଜ ପାଣ୍ଠିରେ ଦୁର୍ନୀତି ନେଇ ଖବର ପ୍ରସାରଣ କରାଯାଇଥିଲା । ତାକୁ ନେଇ ଝାରସୁଗୁଡା ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ 5 ବର୍ଷ ମଧ୍ୟରେ ଏତେ ଟଙ୍କା ବିନିଯୋଗ ହେଲା ପରେ ମଧ୍ୟ ଟଙ୍କା ଗୁଡିକ କୁଆଡେ ଯାଉଛି ତାକୁ ନେଇ ଉଠୁଛି ପ୍ରଶ୍ନ ।