କନକ ବ୍ୟୁରୋ : ବାତ୍ୟା ଆସିଲାବନ୍ୟା ଆଣିଲା । ଆଉ ବନ୍ୟା ପରର ସ୍ଥିତି ତା’ଠୁ ବଳିଗଲା । ପାଣି ଛାଡ଼ିବା ପରେ ଲୋକେ ଆଶ୍ରୟସ୍ଥଳରୁ ନିଜ ନିଜ ଘରକୁ ଫେରିଛନ୍ତି । ହେଲେ ସେ ଘର ଆଉ ରହିବା ଯୋଗ୍ୟ ହୋଇନାହିଁ । କେଉଁଠି ଚାଳଛପର ଉଡ଼ିଯାଇଛି ତ କେଉଁଠି ପଲିଥିନ ଛିଡ଼ିପଡ଼ିଛି । ମାଟିଘର ଭାଙ୍ଗି ଯାଇଥିବାରୁ ଟ୍ରାକ୍ଟରରେ ପାଲଟାଣି ରହିବାକୁ ବାଧ୍ୟ ହେଉଛନ୍ତି ବିପନ୍ନ ଲୋକେ । ତେବେ ବନ୍ୟା ପରେ କେମିତି କଟୁଛି ବିପନ୍ନଙ୍କ ଜୀବନ । ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ ।

Advertisment

ବୁଢ଼ାବଳଙ୍ଗରେ ବନ୍ୟା ଛାଡ଼ି ଯାଇଛି । ହେଲେ ଦୁଃଖ ଯାଇନାହିଁ । ପାଣି କମିବା ପରେ ଘରକୁ ଫେରିଛନ୍ତି ତଳିଆ ଅଞ୍ଚଳର ଲୋକେ । ରେମୁଣା ବ୍ଲକର ଅକ୍ତିଆରପୁର ଗ୍ରାମରେ କାହାର ଘର ଭୁଶୁଡ଼ି ପଡ଼ିଛି ତ ଆଉ କାହା ଘରର କାନ୍ଥ ବଦଳରେ ରହିଛି କେବଳ ବାଉଁଶ ବତା । ଘର ଓଦାଲୁଗା ଓଦା । ତାରି ଭିତରେ ପରିବାର ଧରି ଚଳୁଛନ୍ତି ଏମାନେ । କିଏ ପଲିଥିନ ସଜଡୁଛି ତ ଆଉ କିଏ ମାଟିରେ ବନ୍ଧ ଘର ଭାଙ୍ଗିପଡ଼ିଛି ।

କେବଳ ଅକ୍ତିଆରପୁର ନୁହେଁ କସ୍ମିଳା ଗାଁରେ ସ୍ଥିତି ସଙ୍ଗୀନ । ବାତ୍ୟାରେ ଘର ଭାଙ୍ଗିଯାଇଥିବାରୁ ଏବେ ଟ୍ରାକ୍ଟର ଡାଲା ସାହା ଭରସା । ପାଲ ଟାଣି ଅସ୍ଥାୟୀ ଘର ରହିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏହାବ୍ୟତୀତ ଚାଷ ସମ୍ପୂର୍ଣ୍ଣ ଉଜୁଡି ପଡ଼ିଛି । ହାତରେ କାମ ନାହିଁ । ଘର କେମିତି ଚଳିବସେନେଇ ଚିନ୍ତାରେ ବନ୍ୟା ପ୍ରଭାବିତ ଲୋକେ ।

ସେପଟେ ଭଦ୍ରକରେ ମଧ୍ୟ ସମାନ ସ୍ଥିତି । ଧାମନଗର ଓ ତିହିଡି ବ୍ଲକର ତଳିଆ ଏବେ ଜଳବନ୍ଦୀ ୧୫ଟି ଗାଁ । ତିହିଡି ବ୍ଲକର ବିଲଣା ତଳଗପବିନ୍ଧା ବାରୁଅ ସହ ଅନେକ ପଞ୍ଚାୟତର ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିଥିଲା ବେଳେ ଅନ୍ୟ କେତେକଙ୍କ ଘରର ଦ୍ୱାର ମୁହାଁରେ ବନ୍ୟା ପାଣି ଅଟକି ରହିଛି । ପାଣି ଘେରରେ ରହିଛି ନଳ କୂପ । ଗାଁ ଭିତରେ ୪ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଧାନ ଚାଷ ଆଉ ନାହିଁ କହିଲେ ଚଳେ । କିଛି ସ୍ଥାନରେ ରିଲିଫ ସାମଗ୍ରୀ ପହଞ୍ଚି ପାରିନାହିଁ । ଯେଉଁଥିପାଇଁ ବିପନ୍ନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି ।

ଏହାରି ଭିତରେ ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ବାତ୍ୟା ଓ ତତଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।