କନକ ବ୍ୟୁରୋ: ଆଖି ଆଗରେ ମରି ଯାଉଛି ଏକର ଏକର ଫସଲ । ବିଲରେ ଧାନ ଗଛ, କିନ୍ତୁ ସବୁ ନଡ଼ା ହୋଇ ଗଲାଣି। ଯେଉଁଠି ଫଳ ଧରିଛି ସେ ସବୁ ଅଗାଡି ହୋଇ ଗଲାଣି । ଆଉ ଧାନ ଫସଲ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏଭଳି ଦୃଶ୍ୟ ହେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ମହୁଲ ଝରଣ ଗାଁରେ । ଅନେକ ଆଶା ନେଇ ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । 

Advertisment

ଧାନ କେଣ୍ଡା ଧରି ଆସିବା ବେଳକୁ ରୋଗପୋକ ଲାଗି ଫସଲ ନଷ୍ଟ ହୋଇଯାଉଛି । ଯେତେ ପ୍ରକାର ଔଷଧ ଦେଲେ ମଧ୍ୟ ଫସଲ ବଞ୍ଚାଇ ପାରୁନି ଚାଷୀ । କାଣ୍ଡ ବିନ୍ଧା ରୋଗ ଲାଗିବାରୁ ଧାନ ଗଛ ସବୁ ମରି ଯାଉଛି । ଫସଲ କିଭଳି ବଞ୍ଚାଇବ ସେନେଇ ଚାଷୀ ମୁଣ୍ଡରେ ପଡିଛି ଚଡ଼କ । 
 
ଖାଲି ମହୁଲ ଝରଣର ଚାଷୀ ନୁହଁନ୍ତି ବ୍ଲକର ଅନେକ ଗାଆଁରେ ଏହି ଅବସ୍ଥା ଦେଖିବାକୁ ମିଳୁଛି। ଚାଷୀମାନଙ୍କୁ ସବସିଡିରେ ବିହନ, ଔଷଧ ଓ ସାର ମିଳିବାର ନିୟମ ଥିଲେ ମଧ୍ୟ ସମସ୍ତେ ଏସବୁ ସବିଧା ପାଇ ପାରୁ ନାହାନ୍ତି । ଧାର କରଜ ଓ ବ୍ୟାଙ୍କ ଋଣ କରି ଚାଷୀମାନେ ଚାଷ କରିଥିବା ବେଳେ ଏବେ ରୋଗ ପୋକ ଯୋଗୁ କ୍ଷତିରେ ପଡିଛନ୍ତି । 

ସେପଟେ ଚାଷୀଙ୍କୁ ସବସିଡିରେ ଔଷଧ ଯୋଗାଇ ଦିଆ ଯାଉଛି ଓ ବୀମା କରିଥିଲେ କ୍ରପ୍ କଟିଂ ପରେ ବୀମା ରାଶି ପାଇ ପାରିବେ ବୋଲି ମିଳିଛି ପ୍ରତିଶ୍ରୁତି । କ୍ଷତିରେ ପଡିଥିବା ଚାଷୀଙ୍କୁ ଖୁବଶୀଘ୍ର ସହାୟତା ଯୋଗାଯାଇପାରିଲେ ସେମାନେ ଉପକୃତ ହୋଇପାରିବେ ।