କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକରେ କୁମ୍ଭୀର ଆତଙ୍କ । ଦିନକୁ ଦିନ କୁମ୍ଭୀର ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । କେତେବେଳେ ଗୃହପାଳିତ ପଶୁ ତ ଆଉ କେତବେଳେ ଅଞ୍ଚଳବାସୀ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି । ଆକ୍ରମଣ ସମୟରେ ଅନେକ ଲୋକ କୁମ୍ଭୀର ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇଛନ୍ତି । ତୁରନ୍ତ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ବଢ଼ିବାରେ ଲାଗିଛି । 

Advertisment

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଳକରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୁମ୍ଭୀର ଆକ୍ରମଣ ସଂଖ୍ୟା । ଲୋକଙ୍କ ଜୀବନ ଯିବା ସହ ଗୁରୁତର ହେଉଛନ୍ତି । ଗୃହପାଳିତ ପଶୁ ମଧ୍ୟ କୁମ୍ଭୀର ମୁହଁରୁ ବର୍ତ୍ତୁ ନାହାନ୍ତି । ଯେଉଁଥିପାଇଁ ନଈକୂଳିଆ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି । କୁମ୍ଭୀର ଆକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ଗାଧୁଆ ତୁଠରେ ତାରଜାଲି ଘେରା ସୁରକ୍ଷା ବାଡ ନିର୍ମାଣ କରାଯାଇଛି । ସଚେତନ କରିବା ପାଇଁ ନଦୀକୂଳିଆ ଗାଁ ଗୁଡ଼ିକରେ ସାଇନ ବୋର୍ଡ ବି ଲଗାଯାଇଛି । ତଥାପି କୁମ୍ଭୀର ଆକ୍ରମଣ କମିବା ବଦଳରେ ବଢ଼ିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । 

ମହାକାଳପଡ଼ା ବ୍ଲକର ବତୀଘର, ଜମ୍ବୁ, ରାମନଗର, ଖରିନାସୀ, ସୁନିତି ଓ ଲାଞ୍ଜୁଡ଼ା ଗ୍ରାମ ସହିତ ଅନେକ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବିସ୍ତିର୍ଣ୍ଣ ଲୁଣା ଜଙ୍ଗଲ ରହିଛି । ଏହି ଜଙ୍ଗଲ ମଧ୍ୟରେ ଥିବା ନଦୀରେ ବଉଳା କୁମ୍ଭୀର ଦେଖାଯାଆନ୍ତି । ଏବେ କିନ୍ତୁ ମହାକାଳପଡ ବ୍ଲକର ପ୍ରବାହିତ ସମସ୍ତ ନଦୀରେ କୁମ୍ଭୀର ଦେଖିବାକୁ ମିଳୁଛନ୍ତି । ଯାହାକି ସ୍ଥାନୀୟ ଅଂଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି । 

କୁମ୍ଭୀର ଆକ୍ରମଣ ଘଟଣାରେ ଖୁବ ଶୀଘ୍ର ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ଏ ଦିଗରେ ସଚେତନ କରିବାର ଆବଶ୍ୟକ ରହିଛି ।