କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଉପଦ୍ରପ ଅତିଷ୍ଠ କଲାଣି । କେଉଁଠି କୁମ୍ଭୀର ମଣିଷକୁ ଟାଣି ନେଉଛି, ତ ଆଉ କେଉଁଠି କୁମ୍ଭୀର ମୁହଁରେ ଯାଉଛି ଗୃହପାଳିତ ପଶୁଙ୍କ ଜୀବନ । ସରକାରୀ ତଥ୍ୟ ଅନୁସାରେ, ଗତ ୧୦ ବର୍ଷରେ ୩୦ରୁ ଅଧିକ ଲୋକ କୁମ୍ଭୀର ଆକ୍ରମଣରେ ଜୀବନ ହାରିଛନ୍ତି । ବାସ୍ତବରେ ଏହି ତଥ୍ୟ ୩ଗୁଣାରୁ ଅଧିକ। ଗୋଟିଏ ପଟେ ସ୍ଥଳ ଭାଗରେ ଜଳ ସଙ୍କଟ । ଅନ୍ୟପଟେ ନଦୀକୁ ଗଲେ କୁମ୍ଭୀର ଟାଣି ନେବାର ଭୟ । ଏହିଭଳି ଆଶା ଆଶଙ୍କାରେ ଜୀବନ ଜୀଉଁଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଅଧିବାସୀ ।
ନଦୀ-ନାଳ ଘେରା କେନ୍ଦ୍ରାପଡା ଜିଲ୍ଲା । ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ନଦୀ କୂଳର ବନବିଭାଗ ପକ୍ଷରୁ କରାଯାଇଛି ସୁରକ୍ଷିତ ଗାଧୁଆ ତୁଠ । ବର୍ଷ ବର୍ଷ ତଳୁ ଜାଲି ଦ୍ୱାରା ନିର୍ମାଣ ହୋଇଥିବା ତୁଠର ଅବସ୍ଥା ଏବେ ଜରାଜୀର୍ଣ୍ଣ । କେଉଁଠି ଦଳ ମାଡ଼ି ଗଲାଣି ତ ଆଉ କେଉଁଠି ଲୁହା ଜାଲି ଭାଙ୍ଗି ବାହାରି ଗଲାଣି । ତେଣୁ ଗାଧୁଆପାଧୁଆ କରିବା ବେଳେ ଭୟ ଲାଗୁଛି । କାଳେ କେଉଁଠି କୁମ୍ଭୀର ଥିବ ସେହି ଆଶଙ୍କା ରହୁଛି । ତୁଠ ମରାମତି ନେଇ ବାରମ୍ବାର ଅଭିଯୋଗ ପରେବି ବନବିଭାଗ ଶୁଣୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
ରାଜନଗର ବ୍ଲକର ରାଜପୁର, ଚନ୍ଦନପୁର, ପଟ୍ଟାମୁଣ୍ଡାଇ ବ୍ଲକର ନିମପୁର, ଶ୍ରୀରାମପୁର, ଡାମରପୁରରେ ନିର୍ମାଣ ହୋଇଥିବା ଗାଧୁଆ ତୁଠ ମଧ୍ୟ ସୁରକ୍ଷିତ। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜନଗର ରେଞ୍ଜରେ ୧୦୦ରୁ ଅଧିକ ଗାଧୁଆ ତୁଠ ରହିଛି । ନିମ୍ନମାନର କାମ ଯୋଗୁଁ ଅନେକ ଭାଙ୍ଗିରୁଜି ଗଲାଣି । ସେଗୁଡିକର ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଛି । ଗାଧୁଆ ତୁଠ ଭାଙ୍ଗି ଯାଇଥିବାରୁ ଲୋକେ ଡରିଡରି ନଈରେ କାରବାର କରୁଛନ୍ତି ।
ଅନ୍ୟପଟେ ଖୁବଶୀଘ୍ର ଭଙ୍ଗା ଗାଧୁଆ ତୁଠଗୁଡିକର ମରାମତି ହେବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ରାଜନଗରରେ କୁମ୍ଭୀର ଉପଦ୍ରବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ନୂତନ ଗାଧୁଆ ତୁଠ ନିର୍ମାଣ ଓ ପୁରୁଣା ଗାଧୁଆ ତୁଠ ମରାମତିରେ ବିଭାଗୀୟ ଅଧିକାରୀଙ୍କ ଟାଳଟୁଳ ନୀତି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି ।