କନକ ବ୍ୟୁରୋ: ପାକିସ୍ତାନକୁ ଆଇଏମ୍ଏଫ୍ ସହାୟତା ନ ଅଟକାଇବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା । ଆମେରିକା ମିଲିଟାରୀ ରଣନୀତିକାର ଟ୍ରମ୍ପ୍ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଦେଶକୁ ଆଇଏମ୍ଏଫ୍ ସହାୟତା କାହିଁକି ଅଟକାଇଲେ ନାହିଁ ଟ୍ରମ୍ପ୍ ପ୍ରଶାସନ, ଏନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକା ସେନା ରଣନୀତିକାର । ପାକିସ୍ତାନକୁ ଆଇଏମ୍ଏଫ୍ ସହାୟତା ଦେବା ଅର୍ଥ ଚାଇନାକୁ ମଧ୍ୟ ସହଯୋଗ କରିବା ବୋଲି ସେ ଦର୍ଶାଇଛନ୍ତି । ପାକିସ୍ତାନ ବର୍ଷ ବର୍ଷ ଧରି ଆତଙ୍କବାଦୀଙ୍କୁ ସମର୍ଥନ କରି ଆସୁଛି । ଏହାସତ୍ତ୍ୱେ କାହିଁକି ତାଙ୍କୁ ପାଣ୍ଠି ଦିଆଗଲା ପ୍ରଶ୍ନ ଉଠାଇଛନ୍ତି ଏହି ରଣନୀତିକାର ।
ସେପଟେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର ଦେଇଛନ୍ତି ବଡ଼ ବୟାନ । ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ମେ’ ୧୮ ତାରିଖ ପର୍ଯ୍ୟନ୍ତ କାଏମ ରହିବ ବୋଲି ସେ କହିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏଭଳି ବୟାନ ଏବେ ହଇଚଇ ସୃଷ୍ଟି କରିଛି । ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଉଭୟ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିବା ନେଇ ଆଶଙ୍କା କରାଯାଉଛି । ପାକସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଭାରତ- ପାକ୍ ବିବାଦକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ପୁଣି ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରଶ୍ନ ଉଠିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହଠାତ ଅସ୍ତ୍ରବିରତିର ସମୟସୀମା ସମ୍ପର୍କରେ ଗଣମାଧ୍ୟମକୁ ବୟାନ ଦେବା ପଛରେ ପାକର କିଛି ଜଟିଳ ରଣନୀତି ଥିବା କୁହାଯାଉଛି ।