କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ହେଲେ ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଏ ହେଉଛି ଗଞ୍ଜାମ ଜିଲ୍ଲାରେ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା । ଯାହା ଚିନ୍ତାର କାରଣ ପାଲଟିଛି । ଗଞ୍ଜାମ ଜିଲ୍ଲାରେ ଉଦ୍ବେଗଜନକ ସ୍ଥିତିରେ ରହିଛି ଶିକ୍ଷା । ତଥ୍ୟ ଅନୁସାରେ, ଅଧାରୁ ପାଠ ଛାଡ଼ୁଛନ୍ତି ହଜାର ହଜାର ପିଲା । ୨୨ଟି ବ୍ଲକରେ ୧୪ ବର୍ଷ ବୟସ ମଧ୍ୟରେ ୮,୩୮୬ ଜଣ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । କିଛି ପିଲା ନାମ ଲେଖାଇବା ପରେ ସ୍କୁଲ ଯାଉନାହାନ୍ତି । ସବୁଠାରୁ ବଡ଼ କଥା, ୩,୨୫୧ ଜଣ ପିଲା ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି । ଆଉ ଏହି ତାଲିକାର ଶୀର୍ଷରେ ଅଛି ସେରଗଡ଼ ବ୍ଲକ । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଘର ଘର ବୁଲି ସଚେତନ କରାଯାଉଛି । ଏହାର ପ୍ରଭାବରେ କେତେକ ସ୍ଥାନରେ ୧୨ରୁ ୧୩ ବର୍ଷର ପିଲା ବିଦ୍ୟାଳୟରେ ନାମ ଲେଖାଉଥିବା ଜଣାପଡ଼ିଛି ।
କାହିଁକି ପାଠ ଛାଡ଼ୁଛନ୍ତି ପିଲା?
ବ୍ୟବସ୍ଥା ଦାୟୀ ନା ଅର୍ଥାଭାବ?
ପରିବାରର ଆର୍ଥିକ ସମସ୍ୟା ପାଇଁ ଅନେକ ପିଲା ପାଠ ଛାଡ଼ି ମୁଲ ଲାଗୁଛନ୍ତି । ପୁଣି କେତେକ ପିଲା ନାମ ଲେଖାଇବା ସମୟରେ ଥିବା କଟକଣା ପାଇଁ ପାଠ ପଢ଼ୁନଥିବା ଅଭିଯୋଗ କରିଛନ୍ତି । ହେଲେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ଖୋଲିବାକୁ ନାରାଜ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ।