କନକ ବ୍ୟୁରୋ : ପୁରୀ ବଳଙ୍ଗା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାବେଳେ ଆଜି ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି । ଏୟାରଲିଫ୍ଟ କରି ଦିଲ୍ଲୀ ନେଇଛନ୍ତି ରାଜ୍ୟ ସରକାର । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପୀଡିତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଭୁବନେଶ୍ବର ଏମ୍ସ ନିକଟରେ ରାତି ତମାମ ରାଜନୈତିକ ଡ୍ରାମା ଚାଲିବା ପରେ ଆଜି ପୀଡିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ ଯୋଗେ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି ।
ଦିନ ପ୍ରାୟ ୧୨ଟା ୩୦ ସଙ୍କଟାପନ୍ନ ଥିବା ବଳଙ୍ଗା ପୀଡିତାଙ୍କୁ ନେଇ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା ସ୍ବତନ୍ତ୍ର ଆମ୍ବୁଲାନ୍ସ । ବାଟରେ ଯେମିତି କୌଣସି ସ୍ଥାନରେ ଅସୁବିଧା ନ ହେବ ସେଥିପାଇଁ ଗ୍ରୀନ୍ କରିଡରରେ ପ୍ରସ୍ତୁତ କରାଯାଇଥିଲା । ଆଉ ସେହି ଗ୍ରୀନକରିଡରରେ ଶିରିପୁର ଛକ, ଗଙ୍ଗନଗର ଦେଇ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଥିଲା ଆମ୍ବୁଲାନ୍ସ ।
ବିମାନବନ୍ଦରରେ ପୀଡ଼ିତା ପହଁଞ୍ଚିବା ପରେ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଦିଲ୍ଲୀକୁ ନିଆଯାଇଥିଲା । ସାଙ୍ଗରେ ପୀଡିତାଙ୍କ ବାପା, ମାଙ୍କ ସମେତ ସ୍ବତନ୍ତ୍ର ଅଧିକାରୀ ଓ ଡାକ୍ତରୀ ଟିମ୍ ଯାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ଚାରିଟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପୀଡିତାଙ୍କୁ ଏମ୍ସ ହସ୍ପିଟାଲକୁ ନିଆଯାଇଛି ଏବଂ ତୁରନ୍ତ ପୀଡିତାଙ୍କୁ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଛି ।
ନାବାଳିକା ଜଣକ ଗତକାଲିଠାରୁ ଭୁବନେଶ୍ବର ଏମ୍ସର ୧୪ଜଣିଆ ଡାକ୍ତରୀ ଟିମର ଅବଜରଭେସନ୍ରେ ରହିଥିଲେ । ୭୦ ପ୍ରତିଶତ ପୋଡି ଯାଇଥିବାରୁ ବର୍ଣ୍ଣ ୟୁନିଟରେ ଅକ୍ସିଜେନ୍ ସପୋର୍ଟରେ ଥିଲେ । ପୀଡିତାଙ୍କୁ ଦିଲ୍ଳୀ ସ୍ଥାନାନ୍ତର କରାଯିବା ପରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।