ଖ୍ୟାତନାମା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଖେଳ ଦୁନିଆରେ ଯେତେ ପ୍ରସିଦ୍ଧ , ସୋସିଆଲ୍ ମିଡ଼ିଆରେ ମଧ୍ୟ ସେତେ ଚର୍ଚ୍ଚିତ । ପର୍ତ୍ତୁଗାଲର ଏହି ଷ୍ଟାର୍ ଫୁଟବଲର ଏବେ ନୂଆ ଇତିହାସ ରଚିଛନ୍ତି । ସୋସିଆଲ୍ ମିଡ଼ିଆରେ ରୋନାଲ୍ଡୋଙ୍କର ୧ ବିଲିୟନ୍ ଫଲୋଅର୍ସ ହୋଇଯାଇଛି । ଏହି କ୍ଷେତ୍ରରେ ୧ ବିଲିୟନ୍ ଫଲୋଅର୍ସ ହାସଲ କରିଥିବା ପ୍ରଥମ ବ୍ୟକ୍ତି ହେବାର ରେକର୍ଡ ହାସଲ କରିଛନ୍ତି ରୋନାଲ୍ଡୋ । ତାଙ୍କର ଇନଷ୍ଟାଗ୍ରାମ୍ , ଫେସବୁକ୍ ଏବଂ ୟୁଟ୍ୟୁବ୍ ସମେତ ଅନ୍ୟ ପ୍ଲାଟଫର୍ମରେ ୧ ବିଲିଅନରୁ ଅଧିକ ଫଲୋଅର୍ସ ହୋଇସାରିଛନ୍ତି । ଇନଷ୍ଟାଗ୍ରାମରେ ଅଧିକ ଫଲୋ କରାଯାଉଥିବା ବ୍ୟକ୍ତି ବା ଖେଳାଳୀ ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ସେ ନିକଟରେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ‘ୟୁଆର୍ : କ୍ରିଷ୍ଟିଆନୋ’ ଆରମ୍ଭ କରିଥିଲେ । ଏହି ଚ୍ୟାନେଲ୍ ସପ୍ତାହେ ଭିତରେ ୫୦ ମିଲିୟନ୍ ସବଷ୍କ୍ରାଇବର୍ କରିଥିଲା ଏବଂ ୧ ମିଲିୟନ୍ ସବଷ୍କ୍ରାଇବର୍ ହେବା ପାଇଁ ମାତ୍ର ୯୦ ମିନିଟର ସମୟ ଲାଗିଥିଲା । 

Advertisment

Ronaldo

ନିକଟରେ ଅଲ୍ ନାସର୍ କ୍ଲବର ଷ୍ଟ୍ରାଇକର୍ ରୋନାଲ୍ଡୋ ନିଜ କ୍ୟାରିୟରର ୯୦୦ ଗୋଲ୍ କରିଥିଲେ , ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଫୁଟବଲରଙ୍କ ସମ୍ମାନ ଆହୁରି ବଢି ଯାଇଥିଲା । ରୋନାଲ୍ଡୋ ପ୍ରଶଂସକଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଆଉ ଏବେ ୧ ବିଲିୟନ୍ ଫଲୋଅର୍ସ ହାସଲ କରିବା ପରେ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସେ ଏନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି , ଆମେ ଇତିହାସ ରଚିଲେ । ୧ ବିଲିୟନ୍ ଫଲୋଅର୍ସ କେବଳ ଏକ ସଂଖ୍ୟା ନୁହଁ , ଏହା ଖେଳ ଓ ମୋ ପ୍ରତି ପ୍ରଶଂସକଙ୍କ ଅନାବିଳ ପ୍ରେମର ପ୍ରେରଣାଦାୟୀ ପ୍ରମାଣ । ମଦିରାର ଗଳିରୁ ଆରମ୍ଭ କରି ଦୁନିଆର ସବୁଠୁ ବଡ଼ ମଞ୍ଚ ପର୍ଯ୍ୟନ୍ତ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଖେଳିଛି । ଏବେ ସେହିକ୍ରମରେ ୧ ବିଲିୟନ୍ ଲୋକ ମୋ ସହ ଛିଡ଼ା ହୋଇଛନ୍ତି । ପ୍ରତିଟି ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ଆପଣମାନେ ମୋ ସହ ରହିଛନ୍ତି । ମୋ ଉପରେ ବିଶ୍ୱାସ କରି ସମର୍ଥନ କରି ମୋ ଜୀବନର ଅଂଶ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଆଗକୁ ଆହୁରି କିଛି ଭଲ ଆସୁଛି , ବଢିବା ଜାରି ରଖିବା । ଏକା ସଙ୍ଗେ ଜିତୁଥିବା , ଏକା ସଙ୍ଗେ ଇତିହାସ ରଚୁଥିବା ।

ତେବେ ଇନଷ୍ଟାଗ୍ରାମରେ ୬୦୦ ମିଲିୟନରୁ ଅଧିକ ଲୋକ ରୋନାଲ୍ଡୋଙ୍କ ସହ ଜଡ଼ିତ ଥିବାବେଳେ ‘ଏକ୍ସ’ ରେ ୧୦୦ ମିଲିୟନ୍ , ଫେସବୁକରେ ୧୭୦ ମିଲିୟନ୍ ଏବଂ ୟୁଟ୍ୟୁବରେ ୬୦ ମିଲିୟନ୍ ସବଷ୍କ୍ରାଇବର୍ ରହିଛନ୍ତି । ରୋଚକପୂର୍ଣ୍ଣ କଥା ହେଉଛି , ରୋନାଲ୍ଡୋଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ କିଛି ଦିନ ତଳେ ହିଁ ଆରମ୍ଭ ହୋଇଥିଲା । ପ୍ରଥମ ଦିନରୁ ହିଁ ସବଷ୍କ୍ରାଇବରଙ୍କ ସଂଖ୍ୟା ୧୫ ମିଲିୟନ୍ ଏବଂ ପ୍ରଥମ ସପ୍ତାହରେ ୫୦ ମିଲିୟନ୍ ପହଂଚି ଯାଇଥିଲା ।