କନକ ବ୍ୟୁରୋ :  ବଢୁଛି ଅପରାଧ, ବେକାବୁ ଅପରାଧୀ । ଦିନ ହେଉ କି ରାତି, ଅଚାନକ ବଢ଼ି ଯାଇଛି ଅପରାଧୀଙ୍କ ଦୌରାତ୍ମ୍ୟ । ନା ଆଇନକୁ ଖାତିର ଅଛି, ନା ପୁଲିସକୁ ଭୟ । ଗାଁ ଠାରୁ ସହର, ସବୁଠି ଆତଙ୍କ, ସବୁଠି ଭୟ ।  ଗତ କିଛି ଦିନ ଭିତରେ ବିପର୍ଯ୍ୟସ୍ତ  ଆଇନଶୃଙ୍ଖଳାକୁ ନେଇ ଥରହର ହେଲାଣି ରାଜ୍ୟ ।

Advertisment

ସୋମବାର ବିଳମ୍ବିତ ରାତିରେ ବରଗଡରେ ବିଚ୍ ରାସ୍ତାରେ, ଜମୁର୍ଡା ଟାଙ୍ଗରଟିକ୍ରାର ଭୀମ ବିଶ୍ବାଳଙ୍କୁ ନିର୍ମମ ଭାବେ ହତ୍ୟା । ୨ ଦିନ ତଳେ ଟେଲର ମାଷ୍ଟରଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଧରାପଡିନଥିବା ବେଳେ ପୁଣି ଏକ ହତ୍ୟାକାଣ୍ଡ ବରଗଡରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ରାଜଧାନୀର ଛାତି ଉପରେ ମାତ୍ର କେଇ ଘଣ୍ଟାରେ ସିରିଜ ଅପରାଧ ଘଟାଇଲେ ଅପରାଧୀ । ରାତିର ଅନ୍ଧାରର ସୁଯୋଗ ନେଇ ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରେ ପଥର ଛେଚି ଯୁବକଙ୍କୁ ଅମାନୁଷିକ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ଅନ୍ୟପଟେ ଦିବାଲୋକରେ ଜମି ବିବାଦକୁ ନେଇ ସରକନ୍ତରାରେ ଫୁଟିଲା ଗୁଳି, ଟଳିପଡିଲେ ସୁଧାଂଶୁ ଖୁଣ୍ଟିଆ । ସେହିଭଳି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ଲୁଟ୍‌ର ଶିକାର ହେବା ସହ କାଠଫାଳିଆ ମାଡରେ ଗୁରୁତର ଆହତ ହୋଇଛନ୍ତି ।  

ସପ୍ତାହେ ତଳେ ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳିକରି ହତ୍ୟା କରାଗଲା। ହେଲେ ଅପରାଧୀଙ୍କୁ ଧରିବାରେ ପୋଲିସ ଏଯାଏଁ ବିଫଳ ।  ଚାନ୍ଦବାଲିରେ ବ୍ୟବସାୟୀ ଅଜୟ ଗିରିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବେଳେ ଫେରାର ହୋଇଯାଇଛନ୍ତି ପାର୍ଟନର ଶୁଭ୍ରାଂଶୁ ସ୍ବାଇଁ।  ଅପରାଧୀଙ୍କ ଆତଙ୍କରାଜ ଭିତରେ ସାଧାରଣ ଲୋକଙ୍କୁ  ସୁରକ୍ଷା କିଏ ଦେବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

ବଢି ଚାଲୁଥିବା ଅପରାଧ ଏବେ ପୋଲିସର ନିଦ ହଜାଇ ଦେଲାଣି। ଅପରାଧରେ କେମିତି ବ୍ରେକ ଲାଗିବ ଓ ସାଧାରଣ ଲୋକଙ୍କ ମନରୁ କିଭଳି ଭୟ ଦୂର ହେବ ତାହା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ।