କନକ ବ୍ୟୁରୋ: ଅପରାଧୀଙ୍କୁ ସାବାଡ କରିବାକୁ ରାଜ୍ୟ ସରକାର ଗୁଣ୍ଡା ଆଇନ ଆଣିବାକୁ ଯୋଜନା କରୁଛନ୍ତି। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ମାନୁନାହାନ୍ତି ଅସାମାଜିକ। ବାରମ୍ବାର ଆଇନଶୃଂଖଳା ପରିସ୍ଥିତି ବିଗାଡୁଛନ୍ତି। ଆଗକୁ ପୂଜା ଆସୁଥିବାବେଳେ ଅପରାଧୀ ଆହୁରି ସକ୍ରିୟ ହୋଇଛନ୍ତି। 

Advertisment

ମାଙ୍କ ମୂର୍ତ୍ତି ତିଆରି ପାଇଁ ମାଟି ଉଠିଛି। ପୂଜା ପାଇଁ ଆୟୋଜକ କମିଟି ପ୍ରସ୍ତୁତିରେ ଲାଗିଲେଣି। କିନ୍ତୁ ପୂଜା ପୂର୍ବରୁ ସକ୍ରିୟ ହେଲେଣି ବେଆଇନ ଚାନ୍ଦା ଆଦାୟକାରୀ। ବନ୍ଦର ନଗରୀ ପାରାଦୀପରୁ ଆସିଛି ସେହିପରି ଏକ ସାଂଘାତିକ ଅଭିଯୋଗ। ଯେଉଁଥିରେ ଜଣେ ଅସହାୟ ପରିବା ବିକାଳି ବୃଦ୍ଧାଙ୍କୁ ମଗାଯାଉଛି ୫ହଜାର ଟଙ୍କାର ପୂଜା ଚାନ୍ଦା। ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ବୃଦ୍ଧା ଜଣଙ୍କ ଜୁଲମର ଶିକାର ହେବା ପରେ ଉତେଜନା ଦେଖାଦେଇଛି। ସ୍ଥାନୀୟ ବ୍ୟବସାୟୀମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି। 

ଖାଲି ଚାନ୍ଦା ଆଦାୟକାରୀ ନୁହନ୍ତି ପୂଜା ସମୟରେ ସକ୍ରିୟ ହୋଇଛନ୍ତି ନିଶା ମାଫିଆ। ଲୋକେ ସେଲିବ୍ରେସନ ମୁଡରେ ରହୁଥିବାରୁ ଭଲ ରୋଜଗାର ଆଶାରେ ନେଟୱର୍କ ବିଛାଉଛନ୍ତି । ଓଡ଼ିଶାରୁ କଲିକତା, ବିହାର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି ନିଶା ମାଫିଆଙ୍କ ଚେର । ନିଶା ବେପାରରେ ରୋକ୍ ଲଗାଇବାକୁ ଏସଟିଏଫ ଚଢ଼ାଉ କରୁଛନ୍ତି। ଚଢ଼ାଉ ସମୟରେ ପୁଳା ପୁଳା ମାଦକ ଦ୍ରବ୍ୟ ଜବତ ହେଉଛି ତଥାପି ଏଥିରେ ବ୍ରେକ୍ ଲାଗୁନି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଅପରାଧୀଙ୍କୁ ରୋକିବାକୁ ଆବଶ୍ୟକ ହେଲେ ସ୍ବତନ୍ତ୍ର ଆଇନ ଅଣାଯିବ । 

ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ସତ୍ବେ ବି କେଉଁଠି ନା କେଉଁଠି ଅପରାଧୀ ବେପରୁଆ ହୋଇ ଯାଇଛନ୍ତି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଅପରାଧର ଖବର। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଜବାବରେ ଆଇନମନ୍ତ୍ରୀ କହିଛନ୍ତି ରାଜ୍ୟରେ କ୍ରାଇମ ରୋକିବାକୁ କାମ ଚାଲିଛି । ଅପରାଧ କଲେ ୨୪ରୁ ୪୮ ଘଣ୍ଟା ଭିତରେ ଗିରଫ କରାଯାଉଛି । ଆଗକୁ ଆହୁରି କଠୋର ହେବେ ସରକାର । ସେପଟେ ଚାନ୍ଦା ଆଦାୟକୁ ନିନ୍ଦା କରିଛନ୍ତି ମନ୍ତ୍ରୀ ତଥା ପାରଦୀପ ବିଧାୟକ ସମ୍ପଦ ସ୍ବାଇଁ । ଆଇନଶୃଂଖଳା ପରିସ୍ଥିତିକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ପୂଜା ବେଳେ ଅପରାଧକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।